ଭାରତ ମହାସାଗର ତଳେ ଭାଙ୍ଗିବାରେ ଲାଗିଛି ଟେକ୍ଟୋନିକ୍‌ ପ୍ଲେଟ୍‌

ପ୍ୟାରିସ୍‌,୨୬।୫: ଭାରତ ଉପରେ ବିପଦ ମାଡ଼ି ଆସୁଛି। ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ୍‌ ପ୍ଲେଟ୍‌ ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଏହାଯୋଗୁ ଆଗାମୀ ଦିନରେ ତୀବ୍ରତାଯୁକ୍ତ ଭୂକମ୍ପ ହେବାର ଆଶଙ୍କା ରହିଥିବା ପ୍ୟାରିସ୍‌ର ଆର୍ଥ ଫିଜିକ୍ସ୍‌ ଇନଷ୍ଟିଚ୍ୟୁଟ୍‌ର ମେରାଇନ୍‌ ଜିଓସାଇନ୍ସ୍‌ ବିଭାଗ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏହି ପ୍ଲେଟ୍‌କୁ ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ୟାପ୍ରିକନ୍‌ ଟେକ୍ଟୋନିକ୍‌ ‌ ପ୍ଲେଟ୍‌ କୁହାଯାଇଥାଏ। ପ୍ରତିବର୍ଷ ଟେକ୍ଟୋନିକ୍‌ ପ୍ଲେଟ୍‌ର ୧.୭ ମିଲିମିଟର ଅଂଶ ଭାଙ୍ଗିବାରେ ଲାଗିଛି। ଏକ ନିୟୁତ ବର୍ଷରେ ଏହି ପ୍ଲେଟ୍‌ର ୧.୭ କିଲୋମିଟର ଭାଙ୍ଗିଯିବାର ଆଶଙ୍କା ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଧାରା ଜାରି ରହିଲେ ଭାରତ ମହାସାଗର ଦୁଇ ଭାଗରେ ବିଭକ୍ତ ହୋଇଯିବା ବୋଲି ଗବେଷକ ଅୟୁରେଲି କୌଡ୍ୟୁରିଅର କ୍ୟୁଭେୟର କହିଛନ୍ତି। ଏହାଦ୍ୱାରା ଭୂଭାଗର ବହୁ ପରିବର୍ତ୍ତନ ହେବାର ଆଶଙ୍କା ଥିବା ରିପୋର୍ଟରେ କୁହାଯାଇଛି।

Share