ଭାରତ ବନ୍ଦ ଡାକରା: ଟ୍ରେନ ସେବା ପ୍ରଭାବିତ

ଭଦ୍ରକ ଅଫିସ, ୮।୧: ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ଏହି ବନ୍ଦ ପ୍ରଭାବ ଭଦ୍ରକରେ ଦେଖିବାକୁ ମିଳିଛି। ଭଦ୍ରକ-ପଲାସା ଡ଼ିଏମୟୁ ଟ୍ରେନକୁ ଷ୍ଟେଶନରେ ଆନ୍ଦୋଳନକାରୀ ଅଟକ କରିବା ସହ ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ଓ ଚରମ୍ପାଠାରେ ଆନ୍ଦୋଳନକାରୀମାନେ ଗାଡି ଅଟକ ରଖିଛନ୍ତି। ଏହି ବନ୍ଦକୁ ସଫଳ କରିବା ପାଇଁ ଭଦ୍ରକ ଟ୍ରେଡ଼ ୟୁନିଅନ ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଥିବାର ଦେଖାଯାଇଛି। ଭଦ୍ରକ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଦେଶରେ ଅହେତୁକ ଦରଦାମ ବୃଦ୍ଧି, ଶ୍ରମିକ ମାରଣ ନୀତି, ବେକାର ଯୁବକଙ୍କୁ ନିଯୁକ୍ତି ଓ ସମ୍ବିଧାନ ବଞ୍ଚାଓ ଭଳି ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ଏହି ବନ୍ଦ ଡାକରା ଦେଇଛି।