Categories: ଜାତୀୟ

ଭାରତ ବନ୍ଦବେଳେ ପଶ୍ଚିମବଙ୍ଗରେ ହିଂସା: ପୋଲିସ ଗାଡ଼ି ପୋଡ଼ିଲେ: ୫୫ ଗିରଫ

କୋଲକାତା,୯ା୧: ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡ଼ାକରା ଦିଆଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ତେବେ ବୁଧବାର ପଶ୍ଚିିମବଙ୍ଗରେ ଏହାକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି। ମାଲ୍‌ଦାର ସୁଜାପୁର ଅଞ୍ଚଳରେ ଟ୍ରେଡ୍‌ ୟୁନିୟନର ସମର୍ଥକମାନେ ଦୁଇଟି ପୋଲିସ ଗାଡ଼ି ପୋଡ଼ିଦେବା ସହ ଟେକାପଥର ମାଡ଼ କରିଥିଲେ। ଜାତୀୟ ରାଜପଥ ୩୪ରେ ବାଧ୍ୟହୋଇ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ବ୍ଲାଙ୍କ୍‌ ଫାୟାରିଂ କରିଥିଲା। ପରିସ୍ଥିତିକୁ ଦେଖି ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଥିବା ମାଲ୍‌ଦା ଏସ୍‌ପି ଆଲୋକ ରାଜୋରିଆ ପ୍ରକାଶ କରିଛନ୍ତି। ସେପଟେ ସୁଜାପୁରର କଂଗ୍ରେସ ବିଧାୟକ ଇଶା ଖାନ୍‌ ପୋଲିସ ପୋଷାକରେ ଆସି ଜଣେ ବ୍ୟକ୍ତି ନିଆଁ ଲଗାଉଥିବା ଏକ ଭିଡିଓ ଫୁଟେଜ୍‌ ଦେଖାଇଥିଲେ। କଂଗ୍ରେସ କାର୍ଯ୍ୟକର୍ତ୍ତା କୌଣସି କ୍ଷୟକ୍ଷତି କରି ନ ଥିବା ସେ ଦର୍ଶାଇଛନ୍ତି। ମାଲ୍‌ଦାର ସିପିଆଇ ଜିଲା ସମ୍ପାଦକ ଅମ୍ବର ମିତ୍ର ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିବା ଓ କୌଣସି ପୋଡ଼ାଜଳା କରାଯାଇ ନ ଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନ୍ଦ ପାଳନ ଯଥାର୍ଥ ବୋଲି କହିଥିବାବେଳେ ହିଂସାକୁ ଆମେ ସମର୍ଥନ କରୁନାହୁଁ ବୋଲି ପ୍ରକାଶ କରିଛନ୍ତି। ବାମପନ୍ଥୀମାନେ ପବ୍ଲିସିଟି ଲାଗି ଏଭଳି ହିଂସାକାଣ୍ଡ କରୁଛନ୍ତି ବୋଲି ସେ କହିଛନ୍ତି। ଗତମାସରେ ସିଏଏକୁ ବିରୋଧ କରି ଏଠାରେ ବିକ୍ଷୋଭ କରାଯିବା ସହ ବ୍ୟାପକ ପୋଡ଼ାଜଳା କରାଯାଇଥିଲା। ଟ୍ରେନ୍‌, ବସ୍‌ରେ ନିଆଁ ଲଗାଯିବା ସହ ରେଲ୍‌ଓ୍ବେ ଷ୍ଟେଶନରେ ବ୍ୟାପକ ପୋଡ଼ାଜଳା କରାଯାଇଥିଲା। ଭାରତ ବନ୍ଦବେଳେ ରାଜ୍ୟରେ ରେଳ, ସଡ଼କ ପରିବହନ ବନ୍ଦ ରହିଥିବାବେଳେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ପୋଲିସ ମୋଟ ୫୫ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Share