Categories: ବାଣିଜ୍ୟ

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ନୂଆଦିଲ୍ଲୀ,୨୨-୪: ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା ବଢୁଛି। ପ୍ରଭାବିତ ବିଶ୍ୱ ବଜାର ସ୍ଥିତିରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଏପ୍ରିଲ ମାସର ବର୍ତ୍ତମାନ ସମୟ ସୁଦ୍ଧା ୧୧,୦୧୨ କୋଟି ଟଙ୍କା ନିବେଶ କରିଥିବା ବଜାର ସୂତ୍ରରୁ ଜଣା ପଡିଛି। ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ଫେବୃୟାରୀରେ ମୋଟ ୧୧, ୧୮୨ କୋଟି ଟଙ୍କା ନିବେଶ କରିଥିବା ବେଳେ ଏହା ମାର୍ଚ୍ଚରେ ୪୫,୯୮୧ କୋଟି ଟଙ୍କା ରହିଥିଲା। ଜାନୁୟାରୀରେ ଉଭୟ ଡେଟ୍‌ ଏବଂ ଇକ୍ୱିଟି ବାବଦକୁ ଏହି ନିବେଶକମାନେ ୫,୩୬୦ କୋଟି ଟଙ୍କାର ପୁଞ୍ଜି କାଢି ନେଇଥିଲେ।

ଏପ୍ରିଲ ୧ରୁ ୧୬ ମଧ୍ୟରେ ଏଫ୍‌ପିଆଇ ମାନେ ୧୪,୩୦୦,୨୨ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବା ବେଳେ ଡେଟ୍‌ ବଜାରରୁ ୩,୨୮୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଏହାକୁ ଧରିଲେ ଏମାନଙ୍କ ପକ୍ଷରୁ ମୋଟ୍‌ ନେଟ୍‌ ନିବେଶ ୧୧, ୦୧୨ କୋଟି ଟଙ୍କା ରହିଥିବା ଷ୍ଟକ ବଜାର ଡିପୋଜିଟୋରୀ ତଥ୍ୟରୁ ଏହା ସାମ୍ନାକୁ ଆସିଛି। ନିର୍ବାଚନ ପରବର୍ତ୍ତୀ ସମୟରେ ଏକ ସ୍ଥିର ସରକାର ଆସିବା ନେଇ ନିବେଶକମାନେ ବେଶ ଆଶାବାଦୀ ଥିବା ଗ୍ରୋଥଡବ୍ଲ୍ୟୁ  ନାମକ ନିବେଶ ସଂସ୍ଥା ଆନାଲିଷ୍ଟ ହରିଶ ଜୈନ କହିଛନ୍ତି। ଭାରତ ଏକ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଏହାକୁ ଧ୍ୟାନରେ ରଖି ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ନିବେଶ ଧାରା ଜାରି ରଖିଥିବା ମର୍ଣ୍ଣିଂଷ୍ଟାରର ବରିଷ୍ଠ ଆନାଲିଷ୍ଟ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି। ୨୦୧୮ର ବଜାରସ୍ଥିତି ସତ୍ତ୍ୱେ ଭାରତ ଭଲ ପ୍ରଦର୍ଶନ କରୁଥିବା ସେ କହିଛନ୍ତି। ଚଳିତ ବର୍ଷ ଏଥିରେ ଉନ୍ନତି ପରିଲକ୍ଷିତ ହୋଇଛି। ଭାରତୀୟ ବଜାର ଏହି ଧାରା ଲାଗି ରହିବ ବୋଲି ଶ୍ରୀବାସ୍ତବ କହିଛନ୍ତି।

Share