ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତ ୫ଟି ବଲ ବାକି ଥାଇ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଏହି ମ୍ୟାଚରେ ଡେବ୍ୟୁ କରିଥିଲେ ୨୦ ବର୍ଷୀୟ ଲେଗ୍ ସ୍ପିନର୍ ରାହୁଲ ଚହର୍। ତେବେ ଏହି ମ୍ୟାଚରେ ରାହୁଲଙ୍କ ସମ୍ପର୍କୀୟ ଭାଇ ଦୀପକ ଚହର୍ ମଧ୍ୟ ଖେଳୁଥିଲେ। ଅନ୍ତର୍ଜାତୀୟ ମ୍ୟାଚରେ ଦୁଇ ଭାଇ ଏକାଠି ଖେଳିବାରେ ରାହୁଲ ଏବଂ ଦୀପକ ଚତୁର୍ଥ ଭାରତୀୟ ହୋଇଛନ୍ତି। ପୂର୍ବରୁ ସୁରେନ୍ଦ୍ର ଏବଂ ମହିନ୍ଦର ଅମରନାଥ, ଇର୍ଫାନ ଓ ୟୁସୁଫ ପଠାନ ଏବଂ ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା ଏକାଠି ମ୍ୟାଚ୍ ଖେଳିଛନ୍ତି।
ଲାଲା ଏବଂ ମହିନ୍ଦର ଅମରନାଥ
ପୂର୍ବତନ କ୍ରିକେଟର ଲାଲା ଅମରନାଥଙ୍କ ପରେ ତାଙ୍କର ଦୁଇ ପୁଅ ମହିନ୍ଦର ଅମରନାଥ ଓ ସୁରେନ୍ଦ୍ର ଅମରନାଥ ଭାରତୀୟ କ୍ରିକେଟରେ ଏକାଠି ଖେଳିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ସୁରିନ୍ଦର ଅମରନାଥ ଘରୋଇ କ୍ରିକେଟରେ ବେଶ ଭଲ ପ୍ରଦର୍ଶନ କରିଥିଲେ ମାତ୍ର ଅନ୍ତର୍ଜାତୀୟ କ୍ରିକେଟରେ ବେଶି ସମୟ ତିଷ୍ଠି ପାରି ନ ଥିଲେ। ସେ ଭାରତ ପକ୍ଷରୁ ସେ ୧୦ଟି ଟେଷ୍ଟ ଖେଳିଥିଲେ। ମହେନ୍ଦ୍ର ଅମରନାଥ ତାଙ୍କ ସମୟର ଜଣେ ଦକ୍ଷ ଖେଳାଳି ଭାବେ ପରିଚିତ। ୧୯୮୩ ବିଶ୍ୱକପ୍ ବିଜୟରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।
ଇର୍ଫାନ ଓ ୟୁସୁଫ ପଠାନ
ଇର୍ଫାନ ପଠାନ ଓ ୟୁସୁଫ ପଠାନ ଅନ୍ତର୍ଜାତୀୟ କ୍ରିକେଟରେ ଏକାଠି ଖେଳିଛନ୍ତି। ଦ୍ରୁତ ବୋଲର ଇର୍ଫାନ ପଠାନ ଏକଦା ଭାରତୀୟ ବୋଲିଂ ବିଭାଗର ମେରୁଦଣ୍ଡ ରହିଥିଲେ। ୟୁସୁଫ ମଧ୍ୟ ଅଲରାଉଣ୍ଡର ଥିଲେ।
ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା
ଆଇପିଏଲରେ ମୁମାଇ ଇଣ୍ଡିଆନ୍ସ ପକ୍ଷରୁ ଏକାଠି ଖେଳୁଥିବା ହାର୍ଦ୍ଦିକ ଏବଂ କୃନାଲ ପାଣ୍ଡ୍ୟା ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଏକାଠି ଖେଳିଛନ୍ତି। ହାର୍ଦ୍ଦିକ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇଥିବାବେଳେ କୃନାଲ ଟି-୨୦ରେ ଭାରତୀୟ ଦଳରେ ସ୍ଥାନ ପାଉଥିବାର ଦେଖାଯାଇଛି।
ଦୀପକ-ରାହୁଲ ଚହର୍
ଅନ୍ତର୍ଜାତୀୟ ମ୍ୟାଚରେ ଦୁଇ ଭାଇ ଏକାଠି ଖେଳିବାରେ ରାହୁଲ ଏବଂ ଦୀପକ ଚତୁର୍ଥ ଭାରତୀୟ ହୋଇଛନ୍ତି। ଦୀପକ୍ ପୂର୍ବରୁ ଭାରତ ପାଇଁ ଖେଳିଥିବାବେଳେ ରାହୁଲ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟି-୨୦ରେ ଦଳରେ ସାମିଲ ହୋଇଛନ୍ତି।


