Categories: ଖେଳ

ଭାରତୀୟ କ୍ରିକେଟ ଅଧିନାୟକଙ୍କ ଲାଗି ସ୍ବତନ୍ତ୍ର ନମ୍ବର ୧୮୩

ଭାରତୀୟ ଦିନିକିଆ କ୍ରିକେଟ ଦଳର ସଫଳତମ ଅଧିନାୟକଙ୍କ ଲକି ନମ୍ବର ହେଉଛି ୧୮୩ । ଏହାର କାରଣ ଭାରତୀୟ କ୍ରିକେଟ ଦଳର ପ୍ରଶଂସକମାନଙ୍କୁ ଜଣାଥିବ। ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ଦିନିକିଆ କ୍ୟାରିୟରର ସର୍ବାଧିକ ସ୍କୋର ହେଉଛି ୧୮୩। ଏହି ସମସ୍ତ ବ୍ୟାଟ୍ସମ୍ୟାନ ଦିନିକିଆ କ୍ୟାରିୟରରେ ୧୮୩ ରନ୍‌ ଇନିଂସ ଖେଳିବା ପରେ ଦଳର ନେତୃତ୍ୱ ଭାର ପାଇଛନ୍ତି। ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଗାଙ୍ଗୁଲି ୧୯୯୯ ବିଶ୍ୱକପ ଦଳର ସଦସ୍ୟ ଥିଲେ। ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଗାଙ୍ଗୁଲି ୧୫୮ ବଲରୁ ୧୮୩ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ବିସ୍ଫୋରକ ଇନିଂସରେ ୭ ଛକା ଓ ୧୭ ଚୌକା ସାମିଲ ଥିଲା। ଏହି ମ୍ୟାଚ୍‌ରେ ରାହୁଲ ଡ୍ରାଭିଡ୍‌ ମଧ୍ୟ ୧୪୫ ରନ୍‌ କରିଥିଲେ। ଏହାପରେ ୨୦୦୦ ମସିହାରେ ସଚିନ ତେନ୍ଦୁଲକର ପଦତ୍ୟାଗ କରିବା ପରେ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀ ୧୮୩ ରନ୍‌ର ଇନିଂସ ଖେଳି ଅପରାଜିତ ରହିଥିଲେ। ଏଥିରେ ୧୦ ଛକା ଓ ୧୫ ଚୌକା ସାମିଲ ଥିଲା। ୨୦୦୭ରେ ଟି୨୦ ବିଶ୍ୱକପ୍‌ବେଳେ ତାଙ୍କୁ ଭାରତୀୟ ଦଳର ନେତୃତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ବିରାଟ କୋହଲି ୨୦୧୨ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୧୮୩ ରନ୍‌ କରିଥିଲେ। ଏହାର ଦୁଇବର୍ଷ ପରେ ତାଙ୍କୁ ଟେଷ୍ଟ ବାଦ୍‌ ଦିନିକିଆ ଓ ଟି୨୦ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଥିଲା।

Share