Categories: ଖେଳ

ଭାରତର ଜିମ୍ବାଓ୍ବେ ଟୁର୍‌ ମଧ୍ୟ ସ୍ଥଗିତ

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-କୋଭିଡ୍‌-୧୯ ଯୋଗୁ ଅଗଷ୍ଟରେ ହେବାକୁଥିବା ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଟୁର୍‌କୁ ଶୁକ୍ରବାର ସ୍ଥଗିତ ରଖିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। କରୋନା ଭାଇରସ୍‌ ଯୋଗୁ ଜାତୀୟ କ୍ରିକେଟରମାନଙ୍କୁ ଏପର୍ଯ୍ୟନ୍ତ ଟ୍ରେନିଂ ପାଇଁ ଅନୁମତି ଦିଆଯାଇ ନାହିଁ। ଜୁନ୍‌-ଜୁଲାଇରେ ଭାରତର ସୀମିତ ଓଭର ଟୁର୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦିନକ ପୂର୍ବରୁ ଘୋଷଣା କରିଥିଲା। କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଓ ଜିମ୍ବାଓ୍ବେ ଗସ୍ତ କରିବା ବିପଜ୍ଜନକ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ମୂଳ କାର୍ଯ୍ୟସୂଚୀ ଅନୁସାରେ ଭାରତ ୨୦୨୦ ଜୁନ୍‌ ୧୪ରେ ଶ୍ରୀଲଙ୍କା ଟୁର୍‌ରେ ଯାଇଥାନ୍ତା। ସେଠାରେ ଦଳ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିଥାନ୍ତା। ସେହିପରି ଅଗଷ୍ଟ ୨୨ରୁ ଭାରତୀୟ ଦଳ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିଥାନ୍ତା ବୋଲି ଶାହା ପ୍ରକାଶ କରିଛନ୍ତି। ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାଖାପାଖି ପହଞ୍ଚତ୍ ସାରିଥିବାବେଳେ ୮୫୦୦ରୁ ଊର୍ଦ୍ଧ୍ୱଙ୍କର ମୃତ୍ୟୁ ଘଟିସାରିଲାଣି। କୌଣସି ସିରିଜ ଖେଳିବା ଲାଗି ପ୍ରସ୍ତୁତି ପାଇଁ ଖେଳାଳିମାନଙ୍କୁ ୬ ସପ୍ତାହ ସମୟ ଲାଗିବ ବୋଲି ଜଣେ ସପୋର୍ଟ ଷ୍ଟାଫ୍‌ କହିଛନ୍ତି। ଅନ୍ୟପକ୍ଷରେ ଶାହା ବୋର୍ଡର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଖେଳାଳିମାନଙ୍କ ଲାଗି ଆଉଟଡୋର୍‌ରେ ଟ୍ରେନିଂ ସୁରକ୍ଷିତ ବୋଲି ସରକାରଙ୍କ ହୃଦ୍‌ବୋଧ ହେବାପରେ ଟ୍ରେନିଂ କ୍ୟାମ୍ପ ହେବ ବୋଲି ଶାହା କହିଛନ୍ତି।

Share