Categories: ଜାତୀୟ

ଭାରତରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ, ୧୪ା୩: କରୋନା ଭୂତାଣୁ ଭାରତରେ ଆଉ ଏକ ମୁଣ୍ଡ ନେଇଛି। ମଙ୍ଗଳବାର କର୍ନାଟକର କାଲବୁର୍ଗୀରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଦିଲ୍ଲୀରେ ୬୮ ବର୍ଷୀୟା ମହିଳା ଏହି ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି। କୋଭିଡ଼-୧୯ ପଜିଟିଭ୍‌ ଥିବା ଏହି ମହିଳା ଜଣକ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିସହ ତାଙ୍କର ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମହିଳାଙ୍କ ପୁଅ ଗତ ମାସରେ ସ୍ବିଜରଲାଣ୍ଡ ଓ ଇଟାଲୀ ଗସ୍ତରେ ଯାଇଥିଲେ। ସେ ଫେବୃୟାରୀ ୨୩ରେ ଭାରତ ଫେରିଥିଲେ। ତାଙ୍କଠାରୁ ମହିଳାଙ୍କୁ ଭୂତାଣୁ ସଂକ୍ରମଣ ହୋଇଥିବା କୁହାଯାଉଛି। ଉଭୟ ମାଆ ପୁଅଙ୍କୁ ଜ୍ୱର ଓ କାଶ ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୮ରେ ମହିଳାଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆର୍‌ଏମ୍‌ଏଲ ହସ୍ପିଟଲ୍‌ର ଇଣ୍ଟେନ୍‌ସିଭ କେୟାର ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ୯ ତାରିଖରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା।
ସୂଚନାଯୋଗ୍ୟ କର୍ନାଟକର ବୃଦ୍ଧ ଜଣକ କରୋନା ସଂକ୍ରମିତ ଥିବା ସ୍ବାବ୍‌ ନମୁନା ପରୀକ୍ଷା ପରେ ଗୁରୁବାର ସ୍ପଷ୍ଟ ହୋଇଥିଲା। ସେ କିଛିଦିନ ପୂର୍ବରୁ ସୌଦି ଆରବରୁ ଫେରିଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ୩୪ ଜଣଙ୍କୁ ଏବେ କ୍ୱାରାଣ୍ଟାଇନରେ ରଖାଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨ରେ ପହଞ୍ଚତ୍ଥିବାବେଳେ ଦିଲ୍ଲୀରେ ରୋଗୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

Share