Categories: ଜାତୀୟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨

ନୂଆଦିଲ୍ଲୀ,୧୫ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ୧୦୨କୁ ବୃଦ୍ଧି ପାଇଥିବା ଜଣାପଡିଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୭ ଜଣ ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୫ ଜଣ ଥିବାବେଳେ ଦିଲ୍ଲୀ ଓ ରାଜସ୍ଥାନରୁ ଜଣେ ଲେଖାଏ ଅଛନ୍ତି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୪୦୦୦ରୁ ଅଧିକ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଇରାନରୁ ଭାରତୀୟ ଯାତ୍ରୀଙ୍କୁ ଆଣି ଆସୁଥିବା ମହାନ୍‌ ଏୟାରର ଏକ ବିମାନ ଶନିବାର ମଧ୍ୟରାତ୍ରିରେ ମୁମ୍ବାଇରେ ପହଞ୍ଚତ୍ବ ବୋଲି ଜଣାପଡିଛି। ସେହିପରି ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ଲାଗି ଶନିବାର ଇଟାଲୀର ମିଲାନକୁ ପଠାଯାଇଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ରୋକିବା ଲାଗି ସତର୍କତା ପଦକ୍ଷେପ ସ୍ବରୂପ ଦେଶର ଅର୍ଦ୍ଧାଧିକ ରାଜ୍ୟ ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ମଲ୍‌, ସାଧାରଣ ଉତ୍ସବ ଅନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦିଲ୍ଲୀରେ କରୋନାରେ ପ୍ରାଣ ହରାଇଥିବା ୬୮ ବର୍ଷୀୟା ମହିଳାଙ୍କର ଶେଷକୃତ୍ୟ ମେଡିକାଲ ତତ୍ତ୍ୱାବଧାନରେ କରାଯାଇଛି। ଦିଲ୍ଲୀର ନଗମବୋଧ ଘାଟସ୍ଥିତ ସିଏନ୍‌ଜି ଶ୍ମଶାନରେ ମହିଳାଙ୍କ ଶେଷକୃତ୍ୟ ବେଳେ ରାମ ମନୋହର ଲୋହିଆ ହସ୍ପିଟାଲ ଏବଂ ଏମ୍‌ସିଡିର ଡାକ୍ତରମାନେ ଉପସ୍ଥିତ ରହିଥିଲେ। ମରଶରୀରରୁ ଉକ୍ତ ଭୂତାଣୁ ଯେପରି ଅନ୍ୟ କାହାକୁ ସଂକ୍ରମିତ ନ ହେବ ତାହା ଉପରେ ସର୍ବାଧିକ ଦୃଷ୍ଟି ଦିଆଯାଇଥିଲା।

Share