ଭାରତକୁ ଶରଣ ମାଗିଲେ ଇମ୍ରାନ ଖାନଙ୍କ ଦଳର ନେତା

ଇସ୍‌ଲାମାବାଦ,୧୦।୯: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଇମ୍ରାନ ସରକାରଙ୍କ ଅତ୍ୟାଚାର ବିଷୟରେ ସବୁ ଦେଶକୁ ବେଶ୍‌ ଭଲଭାବେ ଜଣା। ଏବେ ଏହି ଅତ୍ୟାଚାରରୁ ଅତିଷ୍ଠ ହୋଇ ପାକ୍‌ର ପୂର୍ବତନ ବିଧାୟକ ବଲଦେବ କୁମାର ଭାରତକୁ ଶରଣ ମାଗିଛନ୍ତି। ସେ କହିଛନ୍ତି, ପାକିସ୍ତାନରେ କେବଳ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହେଉନି, ବରଂ ସେଠାରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସୁରକ୍ଷିତ ନାହାନ୍ତି। ସେଠାରେ ହିନ୍ଦୁ ଓ ମୁସଲମାନ ନେତାଙ୍କୁ ହତ୍ୟା କରାଯାଉଥିବାରୁ ସେ ଭାରତରେ ଶରଣ ନେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭାରତ ସରକାରଙ୍କୁ ଗୁହାରି କରିବା ସହ ବଲଦେବ ଓ ତାଙ୍କ ପରିବାର ଆଉ ପାକିସ୍ତାନ ଫେରିବେ ନାହିଁ ବୋଲି କହିଛନ୍ତି। କିଛି ମାସ ପୂର୍ବରୁ ବଲଦେବ ତାଙ୍କ ପରିବାର ଲୋକଙ୍କୁ ପଞ୍ଜାବ ଲୁଧିଆନାର ଖନ୍ନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲେ। ହେଲେ ଏବେ ସେ ଆଉ ପାକିସ୍ତାନ ଫେରିବାକୁ ଇଛା ପ୍ରକାଶ କରୁନାହାନ୍ତି। ତେବେ ୩ ମାସର ଭିଜାରେ ସେମାନେ ଭାରତକୁ ଆସିଥିବା ବେଳେ ଅଗଷ୍ଟ ୧୨ରେ ଏହା ଶେଷ ହୋଇଯିବ। ଅନ୍ୟପଟେ ବଲଦେବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ତେହରିକ-ଏ-ଇନ୍‌ସାଫର ନେତା ଅଟନ୍ତି। ସେ ଖେବର ପଖତୁନଖଓ୍ବା ଅଞ୍ଚଳର ବାରିକୋଟ ସଂରକ୍ଷିତ ଆସନରୁ ବିଧାୟକ ରହିସାରିଛନ୍ତି। ଯଦି ପାକିସ୍ତାନ ନେତାଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ତେବେ ସେଠାରେ ସାଧାରଣ ଜନତାଙ୍କ ଅବସ୍ଥା କିଭଳି ଥିବ ତାହା ସ୍ପଷ୍ଟ ବାରି ହୋଇପଡୁଛି।

Share