ଭାଜପା ଜିଲା ସଭାପତି ଚୟନ: ରାଜ୍ୟ ନେତୃବୃନ୍ଦଙ୍କ ହାତରେ ନିଷ୍ପତ୍ତି

ଢେଙ୍କାନାଳ ଅଫିସ,୧୯ା୧୨ – ଢେଙ୍କାନାଳ ଜିଲା ଭାଜପା ସଭାପତି ନିର୍ବାଚନ ପାଇଁ ଦଳୀୟ ରାଜନୈତିକ ବାତାବରଣ ସରଗରମ ହୋଇଛି । ଗତ ୧୩ ତାରିଖରେ ସ୍ଥାନୀୟ ଗୋପୀନାଥ ଗାର୍ଡେନଠାରେ ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ସଭାପତି ପଦ ପାଇଁ କୌଣସି ଜଣଙ୍କ ନାମକୁ ନେଇ ସହମତି ପ୍ରକାଶ ନ ପାଇବାରୁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସ୍ତାବ ଅନୁସାରେ ସଭାପତି ବାଛିବାକୁ ରାଜ୍ୟ ନେତୃବୃନ୍ଦଙ୍କ ଉପରେ ନିଷ୍ପତ୍ତି ଛଡାଯାଇଛି। ଏହାକୁ ନେଇ ଛକାପଞ୍ଝା ଜାରି ରହିଛି।
ଜିଲା ସଭାପତି ନିର୍ବାଚନ ପାଇଁ ଦୁଇ ଜଣ ପୂର୍ବତନ ଜିଲା ସଭାପତି ଏବଂ ଜଣେ ରାଜ୍ୟ କୃଷକ ସଂଗଠନର କର୍ମକର୍ତ୍ତା ଆଶାୟୀ ଥିବା କର୍ମୀଙ୍କ ଗହଣରେ ଆଲୋଚନା ହେଉଛି। ଆଶାୟୀମାନଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ବର୍ତ୍ତମାନ ଜିଲା ସଭାପତି ଥିବା ବିଭୂତି ଭୂଷଣ ପ୍ରଧାନଙ୍କୁ ପୁନର୍ବାର ଜିଲା ସଭାପତି ଦାୟିତ୍ୱ ଅର୍ପଣ କରାଯିବାକୁ ବୈଠକରେ ଉପସ୍ଥିତ ନେତୃବୃନ୍ଦ ରାଜି ହୋଇଥିଲେ। କିନ୍ତୁ ବିଭୂତି ଭୂଷଣ ବ୍ୟକ୍ତିଗତ କାରଣରୁ ପୁନର୍ବାର ସଭାପତି ଦାୟିତ୍ୱ ନେବା ପାଇଁ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡିଛି। ଫଳରେ ଜିଲା ସଭାପତି ପଦବୀ କାହା ହାତକୁ ଯିବ ତାହା ରାଜ୍ୟ ନେତୃବୃନ୍ଦଙ୍କ ଉପରେ ଛାଡି ଦିଆଯାଇଛି। ଯାହା ନିଷ୍ପତ୍ତି ନିଆଯିବ ତାହାକୁ ଜିଲା ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ଗ୍ରହଣ କରିବେ ବୋଲି ଗୃହୀତ ପ୍ରସ୍ତାବରେ ଦର୍ଶାଯାଇଛି। ଅନ୍ୟପଟରେ ଜିଲାର ଜଣେ ପ୍ରଭାବଶାଳୀ ଦଳୀୟ ନେତା ନିଜର ଜଣେ ସମର୍ଥକଙ୍କୁ ଜିଲା ସଭାପତି କରିବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଥିବା ଚର୍ଚ୍ଚା ହେଉଛି। ଗତ ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ଜିଲାର ୪ଟି ଯାକ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀମାନେ ପରାଜିତ ହୋଇଥିଲେ। ଅନ୍ୟପକ୍ଷରେ ଗତ ସାଧାରଣ ନିର୍ବାଚନରେ ଢେଙ୍କାନାଳ ପୌରାଞ୍ଚଳରେ ଶାସକ ଦଳ ବିଜେଡି ଅପେକ୍ଷା ଭାଜପାର ଭୋଟହାର ଅଧିକ ଥିବାରୁ ଆସନ୍ତା ପୌର ନିର୍ବାଚନ ଭାଜପା ପାଇଁ ବେଶ ଗୁରୁତ୍ୱ ରଖୁଛି। ଏହାକୁ ନଜରରେ ରଖି ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଜିଲା ସଭାପତି ଭାବେ ଚୟନ କରାଯିବାର ଆବଶ୍ୟକତା ରହିଛି। ତେଣୁ ସଂଗଠନକୁ ସୁଦୃଢ କରି ଲୋକଙ୍କ ସମସ୍ୟା ସମାଧାନ ପାଇଁ ସ୍ବର ଉତ୍ତୋଳନ କରିବା ସହ ନେତୃବୃନ୍ଦ ତଥା କର୍ମୀ ଗ୍ରହଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଅଯିବା ଉଚିତ ବୋଲି ଜିଲାସ୍ତରୀୟ ନେତାମାନେ ନାମ ପ୍ରକାଶ ନ କରି ମତ ରଖିଛନ୍ତି। ଏ ସଂକ୍ରାନ୍ତରେ ବର୍ତ୍ତମାନ ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନ କୁହନ୍ତି, ସଭାପତି ପଦରେ ରହିବା ପାଇଁ ଆଗ୍ରହ ରଖୁନାହିଁ। ଜିଲା ସଭାପତି କିଏ ହେବ ତାହାର ନିଷ୍ପତ୍ତି ରାଜ୍ୟ ନେତୃତ୍ୱ ନେବେ ବୋଲି ସଙ୍ଗଠନପର୍ବ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।