ଭାଜପାରେ ମିଶିଲେ ପାଟଣାଗଡ଼ ବିଜେଡିର ବହୁ ନେତା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବହୁ ବିଜେଡି ନେତା ଦଳଛାଡି ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ବଲାଙ୍ଗୀର ଜିଲା ବିଜେଡି ସମ୍ପାଦକ ପ୍ରଦୀପ ପୁରୋହିତ, ପାଟଣାଗଡ଼ ବ୍ଲକ ଯୁବ ସଭାପତି ଆଲୋକ ପାଣିଗ୍ରାହୀ, ପାଟଣାଗଡ଼ ଜିଲା ପରିଷଦ ପ୍ରାର୍ଥୀ ସ୍ଥିତିପ୍ରଜ୍ଞା ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଅଇଁଠୁ ସାହୁଙ୍କ ପୁଅ ମାଣିକ୍ୟ ସାହୁ, ପାଟଣାଗଡ଼ ଏନଏସିର ପୂର୍ବତନ କାଉନସିଲର ସନ୍ତୋଷ ମେହେର ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ କନକବର୍ଦ୍ଧନ ସିଂଦେଓ ଏବଂ ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ଏହାସହ ସେମାନଙ୍କୁ ସ୍ବାଗତ କରିବା ସହିତ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜଭୁତ ହେବ ବୋଲି କନକ କହିଛନ୍ତି। ପାଟଣାଗଡ଼ ବିଜେଡି ବିଧାୟକଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱକୁ ବିଶ୍ୱାସ କରି ସେମାନେ ଭାଜପାରେ ସାମିଲ ହୋଇଥିବା ବିଜେଡିର ପୂର୍ବତନ ସମ୍ପାଦକ ପ୍ରଦୀପ ପୁରୋହିତ କହିଛନ୍ତି।