ଭାଙ୍ଗିଗଲା ନୂଆଗାଁ ମାଇନର କେନାଲର କଂକ୍ରିଟ୍‌ ଢଳେଇ

ପରଜଙ୍ଗ, ୧୪।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତର ଚାଷୀଙ୍କ ଜଳସେଚନର ପ୍ରମୁଖ ମାଧ୍ୟମ ନୂଆଗାଁ ମାଇନର କେନାଲର ୨୦ଫୁଟ କଂକ୍ରିଟ୍‌ ଢଳେଇ ଭାଙ୍ଗିଯାଇଛି। ଅଞ୍ଚଳର ଶତାଧିକ ଚାଷୀ ଉକ୍ତ କେନାଲ ପାଣି ଉପରେ ଭରସା କରି ଧାନ ଚାଷ କରିଥିଲେ। ଗଛରୁ ଧାନ ବାହାରିବା ବେଳେ ହିଁଁ କେନାଲ ଭାଙ୍ଗିଯାଇଛି। ଏବେ ଜମିକୁ କିପରି ପାଣି ପହଞ୍ଚିବ ସେହି ଚିନ୍ତା ଘାରିଛି। ନିମ୍ନମାନର କାର୍ଯ୍ୟରୁ ଏପରି ସମସ୍ୟା ଉପୁଜିଥିବା ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି।
ଅନିୟମିତତା ବର୍ଷାରେ ଅଞ୍ଚଳର ଚାଷ ବିଶେଷଭାବେ ପ୍ରଭାବିତ ହେଉଛି। ସ୍ବଳ୍ପ ବର୍ଷା ସମୟରେ ଉକ୍ତ କେନାଲ ଚାଷୀଙ୍କ ସାହାଭରସା ପାଲଟିଥାଏ। ତେବେ ଦୁଇଦିନ ତଳେ କଇଁଆନାଳି ନିକଟରେ ଉକ୍ତ କେନାଲରେ ୨୦ଫୁଟରୁ କଂକ୍ରିଟ ଢଳେଇ ଧୋଇଯାଇଛି। ଚାଷୀଙ୍କ କହିବା କଥା, ଏଆର୍‌ଏସ୍‌ଏସ୍‌ ସଂସ୍ଥା ପକ୍ଷରୁ କିଛିଦିନ ତଳେ ଉକ୍ତ କେନାଲ ନିର୍ମାଣ କାମ ଶେଷହୋଇଛି। କେନାଲ କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ସେମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି ସମୟରେ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ପାଣି ଛଡ଼ାଯିବାର ଅଳ୍ପଦିନ ପରେ କେନାଲର କିଛି ଅଂଶ ଭାଙ୍ଗିଯାଇଥିଲା। ନିର୍ମାଣକାରୀ ସଂସ୍ଥା ହେୟଜ୍ଞାନ କରିବାରୁ ଚାଷୀମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏହାର ମରାମତି କରିଥିଲେ। ଉକ୍ତ ସ୍ଥାନଠାରୁ କିଛି ଦୂରରେ ପୁଣିଥରେ କେନାଲ ଭାଙ୍ଗିଯାଇଛି। ନିମ୍ନମାନର କାମ ଯୋଗୁ ଆଗାମୀ ଦିନରେ କେନାଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ଥିବା ଚାଷୀ ସମୀର ବିଶ୍ୱାଳ, ସୁଧୀର ବିଶ୍ୱାଳ, ଦୁଃଶାସନ ବିଶ୍ୱାଳ, ଶଙ୍କର୍ଷଣ ଖୁଣ୍ଟିଆ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ନେଇ ଏଆର୍‌ଏସ୍‌ଏସ୍‌ର ସାଇଡିଂ ଇନ୍‌ଚାର୍ଜ ବିଭୁପଦ ଶର୍ମା କୁହନ୍ତି, ଅଭିଯୋଗ ପରେ ଘଟଣାସ୍ଥଳ ପରିଦର୍ଶନ କରାଯାଇଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବିଭାଗୀୟ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ମଲ୍ଲିକ କୁହନ୍ତି, କମ୍ପାନୀକୁ ବର୍ଷକ ପାଇଁ କେନାଲ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ଭାଙ୍ଗି ଯାଇଥିବା ସ୍ଥାନ ମରାମତି କରିବାକୁ କୁହାଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। କାମ ଭଲ ହୋଇଥିଲା। ଅଧିକ ପାଣି ଆସିବାରୁ ଏହା ଭାଙ୍ଗିଯାଇଛି। ଉକ୍ତ ସ୍ଥାନକୁ ଅଧିକ ଉଚ୍ଚା କରାଯିବ ବୋଲି ଯନ୍ତ୍ରୀ କହିଛନ୍ତି।