Categories: ଖେଳ

ଭାଇରସ୍‌ କର୍ଫ୍ୟୁ ଉଲ୍ଲଂଘନ: ଖେଳାଳିଙ୍କୁ ୬ମାସ ସସ୍‌ପେଣ୍ଡ

ବେଜିଂ, ୮ା୬ (ଏପି.): କରୋନାଭାଇରସ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଚାଇନିଜ୍‌ ଫୁଟ୍‌ବଲ ଆସୋସିଏଶନ (ସିଏଫ୍‌ଏ) ୧୯ବର୍ଷରୁ କମ୍‌ ଜାତୀୟ ଦଳର ୬ ଜଣ ଖେଳାଳିଙ୍କୁ ୬ ମାସ ପାଇଁ ସସ୍‌ପେଣ୍ଡ କରିଛି। ଅଭିଯୁକ୍ତ ଖେଳାଳିମାନେ ମଧ୍ୟରାତ୍ରରେ ମଦ୍ୟପାନ କରିବା ଲାଗି ଟ୍ରେନିଂ କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ସାଂଘାଇଠାରେ ୩୫ ଖେଳାଳିଙ୍କୁ ନେଇ ଏହି ଟ୍ରେନିଂ କ୍ୟାମ୍ପ ମେ ୧୭ରେ ଆରମ୍ଭ ହୋଇ ଶନିବାର ଶେଷ ହୋଇଛି। ମହାମାରୀ ନିୟନ୍ତ୍ରଣ ନିୟମ ଉଲ୍ଲଂଘନ ସମଗ୍ର ଟିମ୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ସିଏଫ୍‌ଏ ଜିନ୍‌ହୁଆ ନ୍ୟୁଜ୍‌ ଏଜେନ୍ସିକୁ କହିଛି। ଏହି ୬ଜଣ ଖେଳାଳି ନଭେମ୍ବର ୩୦ ପର୍ଯ୍ୟନ୍ତ କୌଣସି ମ୍ୟାଚ ଖେଳି ପାରିବେ ନାହିଁ। ସେମାନେ ଆହୁରି ମଧ୍ୟ ସେମାନଙ୍କ କ୍ଲବ ତରଫରୁ ଦଣ୍ଡିତ ହୋଇପାରନ୍ତି। ଚାଇନାରେ ଖେଳାଳିମାନଙ୍କର କୌଣସି ସଂଗଠନ ନାହିଁ। ବାସନ୍ଦ ଦଣ୍ଡ ବିରୋଧରେ ଏହି ଖେଳାଳିମାନେ ଅପିଲ କରିପାରିବେ କି ନା ତାହା ଜଣାନାହିଁ। ମୁଖ୍ୟ କୋଚ୍‌ ଚେଙ୍ଗ୍‌ ୟାଓଡଙ୍ଗ୍‌ କହିଛନ୍ତି ଖେଳାଳିମାନେ ସେମାନଙ୍କ କାର୍ଯ୍ୟନେଇ ଅନୁତପ୍ତ। ଦଳ ପାଇଁ ଏହା କ୍ଷତି ନିଶ୍ଚୟ। ସେମାନଙ୍କ ଉପରେ ଏହା ପ୍ରଭାବ ପକାଇବ ନିଶ୍ଚୟ। ଆସନ୍ତା ସିଜନରେ୧୯ବର୍ଷରୁ କମ୍‌ ଦଳ ଚାଇନିଜ ତୃତୀୟ ଡିଭିଜନ ଲିଗ୍‌ ଖେଳିବ। ଆଗାମୀ ଅଲିମ୍ପିକ୍ସ ଦୃଷ୍ଟିରୁ ଏହି ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ।

Share