ଭଷାଣି ବେଳେ ଯୁବକଙ୍କୁ ହତ୍ୟା ଉଦ୍ୟମ: ୭ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ବ୍ରହ୍ମପୁର ଅଫିସ,୧୮ା୯-ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମରେ ଗତ ୧୫ ତାରିଖ ରାତିରେ ଗଣେଶ ମୂର୍ତ୍ତି ଭାଷାଣି ବେଳେ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଫେରାର ଥିବା ୭ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ଭଗବାନ ରାଉଳ, ଲକ୍ଷ୍ମଣ ରାଉଳ, ଜିତେନ୍ଦ୍ର ରାଉଳ, ସୂର୍ଯ୍ୟ ରାଉଳ, ବଳରାମ ରାଉଳ, କାଳିଆ ରାଉଳ ଓ ରାକେଶ ପାତ୍ର। ପୋଲିସ ସେମାନଙ୍କଠାରୁ ଘଟଣାବେଳେ ବ୍ୟବହୃତ ଶାବଳ ଓ ଧାରୁଆ ଅସ୍ତ୍ର ଜବତ କରିଛି। ମାମଲା ନଂ.୨୩୬/୧୯ରେ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ପ୍ରକାଶ ଯେ, ଗତ ୧୫ ତାରିଖ ରାତିରେ ଭଷାଣି ପାଇଁ ରାଉଳ ସାହିର କେତେକ ଯୁବକ ଗଣେଶ ମୂର୍ତ୍ତିକୁ ପଟୁଆରରେ ନେଉଥିଲେ। ତେବେ କୌଣସି କାରଣରୁ ଅରକ୍ଷିତ ଦାସ ସେଠାରେ ଝଗଡା କରିଥିଲେ। ପରେ ଉପରୋକ୍ତ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ଅରକ୍ଷିତଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଅରକ୍ଷିତଙ୍କ ମା’ ସନ୍ତୋସିନୀ ଥାନାରେ ଅଭିଯୋଗ କରିଥିଲେ।