ଭରତପୁର କୋଇଲା ଖଣିରେ ଦୁର୍ଘଟଣା: ୬ ଦିନ ପରେ ସିଏମ୍‌ଡିଙ୍କ ଘଟଣାସ୍ଥଳ ପରିଦର୍ଶନ

ତାଳଚେର,୨୯।୭(ନି.ପ୍ର.): ଭରତପୁର କୋଇଲା ଖଣିରେ ଦୁର୍ଘଟଣାର ୬ଦିନ ପରେ ସୋମବାର ଏମ୍‌ସିଏଲ୍‌ର ସିଏମ୍‌ଡି ବି.ଏନ୍‌. ଶୁକ୍ଳା ଭରତପୁର କୋଇଲାଖଣି ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ଶୁକ୍ଳା ଭରତପୁର ଖଣିରେ ପହଞ୍ଚି ଦୁର୍ଘଟଣାସ୍ଥଳ ଏବଂ ଚାଲିଥିବା ଉଦ୍ଧାର କାର୍ଯ୍ୟ ବୁଲି ଦେଖିଥିଲେ। ପରେ ଏମ୍‌ସିଏଲ୍‌ର ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପୋତିହୋଇ ରହିଥିବା ୩ ଶ୍ରମିକଙ୍କ ମୃତଦେହ ଏବଂ ଅନ୍ୟ ଜଣେ ଶ୍ରମିକଙ୍କ ଗୋଟିଏ ଗୋଡ଼, ହାତ ଓ ଶରୀରର କିଛି ଅଂଶ ମିଳିଥିଲା। ଏହା କାହାର ଜଣାପଡ଼ି ନାହିଁ । ଏ ପର୍ଯ୍ୟନ୍ତ ସିକ୍ୟୁରିଟି ଗାର୍ଡ ରମେଶ ଦାସଙ୍କ ମୃତଦେହ ମିଳିନାହିଁ । ସୋମବାର ରମେଶଙ୍କ ପରିବାର ଲୋକେ ଗେଷ୍ଟହାଉସରେ ସିଡିଏମ୍‌ଙ୍କୁ ଭେଟି ତୁରନ୍ତ ତାଙ୍କ ପୁଅର ମୃତଦେହ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି।