ଭଦ୍ରକ ଜିଲା ଚିକିତ୍ସାଳୟର ଏମ୍‌ସିଏଚ୍‌ ସମ୍ପ୍ରସାରଣ ହେବ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଭଦ୍ରକ ଜିଲା ଚିକିତ୍ସାଳୟରେ ଥିବା ଏମ୍‌ସିଏଚ୍‌କୁ ସମ୍ପ୍ରସାରଣ କରାଯାଇ ୧୦୦ ଶଯ୍ୟାବିଶିଷ୍ଟରେ ପରିଣତ କରାଯିବ। ହସ୍ପିଟାଲ୍‌ର ଚାରିପାଖେ ପାଚେରି ଓ ରାସ୍ତା ନିର୍ମାଣ ଲାଗି ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ଶୁକ୍ରବାର ବିଭାଗ ପକ୍ଷରୁ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଭଦ୍ରକ ଜିଲାରେ ଚିକିତ୍ସାସେବା ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବା ତଥା ଖାଲି ଥିବା ଡାକ୍ତର ପଦବୀ ପୂରଣ ଉପରେ ବିଧାୟକମାନେ ଗୁରୁତ୍ୱ ଦେଇଥିଲେ। ଏହାସହ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଏହାକୁ ସହୃଦୟତାର ସହ ବିଚାର ଓ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ମତ ରଖିଛନ୍ତି। ବୈଠକରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁଚରଣ ସେଠୀ, ବ୍ୟୋମକେଶ ରାୟ, ସଞ୍ଜୀବ କୁମାର ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଡିଏମ୍‌ଇଟି ପ୍ରଫେସର ସି.ବି.କେ. ମହାନ୍ତି, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ଦିଲୀପ କୁମାର ଷଡ଼ଙ୍ଗୀଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।