ଭଦ୍ରକରୁ ଆସିଥିବା ଅଧିକାରୀଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ବଲାଙ୍ଗୀର ପଠାଗଲା

ଗୁଡଭେଲା,୨୪ା୪(ଡି.ଏନ୍‌.ଏ.) : ଲକ୍‌ଡାଉନ ସତ୍ତ୍ୱେ ଭଦ୍ରକ ଜିଲାରୁ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଆସିଥିବା ଜଣେ ଅଧିକାରୀଙ୍କ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗଙ୍କ ନେତୃତ୍ୱରେ ଉକ୍ତ ଅଧିକାରୀଙ୍କୁ ଏକ ସ୍ବତନ୍ତ୍ର ଗାଡ଼ିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ବାବ୍‌ ଟେଷ୍ଟ ପାଇଁ ପଠାଯିବା ସହ ୧୪ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ରୁ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିବା ବେଳେ ଆସନ୍ତା ୨୫ ତାରିଖ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ବହି ବଣ୍ଟନ ପାଇଁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଫଳରେ ଭଦ୍ରକ ଜିଲା ସହର ମହାକୁମାରେ ରହିଥିବା ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ରମେଶ ସାମର୍ଥ ଗୁଡଭେଲା କାର୍ଯ୍ୟାଳୟକୁ ଗତ ୧୯ ତାରିଖରେ ବାଇକ୍‌ ଯୋଗେ ଫେରିଥିଲେ। ତେବେ ୨୨ ତାରିଖରେ ଗୁଡଭେଲା ଶିକ୍ଷା କାର୍ଯ୍ୟାଳୟରେ ବହିଗୁଡିକ ଗାଡ଼ିରେ ପଠାଇଥିବା ଜଣାପଡ଼ିବାରୁ ଏ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେବା ସହ ଲୋକେ ବିରୋଧ କରିଥିଲେ।