କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ ଧରି ଗ୍ରାମବାସୀ ଏହି ଦାବି କରୁଥିବାବେଳେ ଏବେ ଏହାକୁ ନେଇ କଳାହାଣ୍ଡି ଜିଲାପାଳ, ଓଡିଶା ସରକାର, ପଞ୍ଚାୟତରାଜ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଜିଲା ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ଦାଖଲ କରାଯାଇଛି।
ସୂଚନାଯୋଗ୍ୟ ଯେ, ବୋରପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଭଟାପଲା, ସରାବହାଲି, ଅଗାଧୂପୂର୍ ପ୍ରାୟ ୮ କିମି ଦୂରରେ ଅବସ୍ଥିତ। ଯାହା ଦ୍ବାରା ଏହି ତିନି ଗ୍ରାମ ବାସୀ ଅନେକ ସମୟରେ ପଞ୍ଚାୟତ ସେବା ଠିକ ଭାବେ ପାଇ ପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୨୦୧୧ ଜନ ଗଣନା ଅନୁସାରେ ଏହି ପଞ୍ଚାୟତ ର ମୋଟ ଜନସଂଖ୍ୟା ୫୮୧୫ ଓ ଭୋଟ ର ସଂଖ୍ୟା ୪୫୩୦ ଅଟେ। ସେହିପରି ଭଟାପଲା , ସରାବହାଲି ଓ ଅଗାଧୂପୂର୍ ଜନ ସଂଖ୍ୟା ୩୫୦୦ ଥିବା ବେଳେ ଭୋଟ ର ସଂଖ୍ୟା ୨୨୧୭ ରହିଛି। ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ସହ ସରକାରୀ ସେବା ପାଇବାରେ ଅନେକ ସମସ୍ୟା ଦେଖାଦେଉଛି। ପଞ୍ଚାୟତ କାର୍ଯ୍ୟାଳୟ ଦୂରରେ ଥିବାରୁ ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ କାମ ପାଇଁ ବାରମ୍ବାର ଯାତାୟାତ କରିବାକୁ ପଡ଼ୁଛି। ଏହି ପରିସ୍ଥିତିରେ ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ଘୋଷଣା କରାଗଲେ ପ୍ରଶାସନିକ କାର୍ଯ୍ୟ ସୁବିଧାଜନକ ହେବା ସହ ଅଞ୍ଚଳର ସାମଗ୍ରିକ ବିକାଶ ହେବ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ଏହି ଦାବିକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
Dharitri – Odisha’s No.1 Odia Daily

