Categories: ବାଣିଜ୍ୟ

ବ୍ୟାଙ୍କ ଜମାର ବୀମା ସୁରକ୍ଷା ବଢିପାରେ

ନୂଆଦିଲ୍ଲୀ,୧୬-୧୧: ବ୍ୟାଙ୍କ ଜମା ଉପରେ ବର୍ତ୍ତମାନ ୧ ଲକ୍ଷ ଟଙ୍କାର ବୀମା ସୁରକ୍ଷା ରହିଥିବା ବେଳେ ଏହାକୁ ବଢାଇବାକୁ ସରକାର ଯୋଜନା କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ସେହିଭଳି ବହୁରାଜ୍ୟରେ କାର୍ଯ୍ୟ କରୁଥିବା ସମବାୟ ସଂସ୍ଥାଗୁଡିକୁ ନିୟନ୍ତ୍ରିତ କରିବାକୁ ଯୋଜନା ରଖାଯାଇଛି। ଏଥିଲାଗି ସଂସଦର ଶୀତକାଳୀନ ଅଧିବେସନରେ ଏକ ବିଲ୍‌ ଆଣିବ ବୋଲି ସେ କହିଛନ୍ତି। ଟେଲିକମ୍‌ ଶିଳ୍ପ ସମସ୍ୟା ଉପରେ ନିଜର ପ୍ରତିକ୍ରିୟା ସେ କହିଛନ୍ତି ଯେ, ସରକାର ଏହି କ୍ଷେତ୍ରର ସମସ୍ୟାକୁ ଦୃଷ୍ଟିରେ ରଖିଛନ୍ତି। ଏଜିଆର ଦେୟ ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଟେଲିକମ୍‌ ଶିଳ୍ପର ସମସ୍ୟାକୁ ବିଚାର କରାଯାଉଛି। କୌଣସି ଟେଲିକମ୍‌ ସଂସ୍ଥା ବନ୍ଦ ହୋଇ ଯାଉ ବୋଲି ସରକାର ଚାହୁଁ ନ ଥିବା ସେ ମତ ରଖିଛନ୍ତି। ଏହାବାଦ ରାଜସ୍ବ କମିଥିଲେ ମଧ୍ୟ ସରକାର ଜନମଙ୍ଗଳ ଯୋଜନାଗୁଡିକରେ ହେଉଥିବା ଖର୍ଚ୍ଚକୁ କମାଇବା ଲାଗି କୌଣସି ଯୋଜନା ରଖି ନ ଥିବା ସୀତାରାମନ ସ୍ପଷ୍ଟ କରିଛନ୍ତି।

Share