ବ୍ୟାଙ୍କରେ ଅବ୍ୟବସ୍ଥା: ଖରାରେ ଗ୍ରାହକଙ୍କ ଲମ୍ବା ଲାଇନ୍‌

ଚମ୍ପୁଆ,୨୬ା୫(ଡି.ଏନ.ଏ)- ଚମ୍ପୁଆ ଅଞ୍ଚଳରେ ଗ୍ରାହକମାନଙ୍କୁ ସେବା ଯୋଗାଉଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ନାନା ସମସ୍ୟା ଦେଖାଦେଇଛି। ଘଣ୍ଟା ଘଣ୍ଟା ଧରି ଗ୍ରାହକମାନେ ଖରାରେ ଠିଆ ହେଉଥିଲେ ବି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା ମହାମାରୀ ସମୟରେ ଲ୍‌କଡାଉନ୍‌ ହୋଇଥିଲେ ମଧ୍ୟ ଗ୍ରାହକମାନେ ବ୍ୟାଙ୍କରେ ଜମା ରଖିଥିବା ଅର୍ଥ ନେଣଦେଣ ସହିତ ସରକାରଙ୍କ ପକ୍ଷରୁ ମିଳିଥିବା ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି। ମାସେ ପୂର୍ବରୁ ସାମାଜିକ ଦୂରତା ରକ୍ଷା ପାଇଁ ବ୍ୟାଙ୍କ ବାହାରେ ଏକ ଅସ୍ଥାୟୀ ଟେଣ୍ଟ କରାଯାଇଥିଲା। ମାତ୍ର କାଳ ବୈଶାଖୀରେ ଉକ୍ତ ଟେଣ୍ଟ ଭାଙ୍ଗି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ନିର୍ମାଣ କରାଯାଇ ପାରିନାହିଁ। ମାତ୍ର ପେନ୍‌ସନ୍‌ଧାରୀ ଓ ମହିଳା ଗ୍ରାହକମାନେ ମୁଣ୍ଡଫଟା ଖରାରେ ଅତି ଦୟନୀୟ ଅବସ୍ଥାରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକ ଚିତ୍ତରଞ୍ଜନ ପଣ୍ଡାଙ୍କୁ ପଚାରିବାରୁ କାଳ ବୈଶାଖୀରେ ଟେଣ୍ଟଟି ଭାଙ୍ଗି ଯାଇଛି ଏବଂ ଗ୍ରାହକଙ୍କ ସଂଖ୍ୟାକୁ ନଜରରେ ରଖି ୪ଗୋଟି କାଉଣ୍ଟର ଖୋଲାଯାଇଛି। ଖୁବଶୀଘ୍ର ବାହାରେ ଠିଆ ହୋଇ ରହୁଥିବା ଗ୍ରାହକମାନଙ୍କ ପାଇଁ ଟେଣ୍ଟ ତିଆରି କରାଯିବ ବୋଲି ସେ କହିଛନ୍ତି।