ବ୍ୟବସାୟ ଋଣ ଶୁଝିପାରିଲେନି ବନ୍ଧକ ଘର ସିଲ କଲା ବ୍ୟାଙ୍କ

ପୋଲସରା,୨୭ା୧୨(ଡି.ଏନ.ଏ.): ବ୍ୟବସାୟ ପାଇଁ ଆଣିଥିବା ଋଣ ଶୁଝି ନ ପାରିବାରୁ ଜଣେ ବ୍ୟକ୍ତି ବନ୍ଧକ ରଖିଥିବା ଘରକୁ ବ୍ୟାଙ୍କ ପକ୍ଷରୁ ସୋମବାର ସିଲ କରାଯାଇଛି। ପୋଲସରା ବ୍ଲକ ହାତୀଓଟ ଗ୍ରାମର ଫକୀର କୁମାର ଜେନା ବ୍ୟବସାୟ ପାଇଁ ନିଜ ଦୋକାନ ନାମରେ ୨୦୧୯ରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ହାତୀଓଟ ଶାଖାରୁ ନିଜ ଘର ବନ୍ଧକ ଆକାରରେ ରଖି ୨୫ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ ଠିକ ସମୟରେ ଋଣ ପରିଶୋଧ କରିପାରି ନ ଥିଲେ। ଋଣ ଭାର ୩୦ ଲକ୍ଷରେ ପହଞ୍ଚିଥିଲା। ବ୍ୟାଙ୍କ ପକ୍ଷରୁ ତାଙ୍କୁ ବାରମ୍ବାର ନୋଟିସ କରାଯାଉଥିଲେ ମଧ୍ୟ ଟଙ୍କା ଶୁଝି ନ ଥିଲେ। ତେଣୁ ବ୍ୟାଙ୍କ ପ୍ରଶାସନ ପକ୍ଷରୁ ସରଫେସି ଆକ୍ଟ ଅନୁଯାୟୀ ଫକୀରଙ୍କର ତିନୋଟି ସ୍ଥାନରେ ଥିବା ୩ କୋଠାକୁ ଜଉମୁଦ ସହ ସିଲ କରାଯାଇଛି। ଜଉମୁଦ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା, ଉତ୍କଳ ଗ୍ରାମୀଣ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଅଜୟ କୁମାର ନାୟକ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ହାତୀଓଟ ଶାଖା ପରିଚାଳକ ସ୍ବପ୍ନ ସରିତଙ୍କ ସମେତ ବାଲିଛାଇ ଫାଣ୍ଡି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।