ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ମାମଲା : ସିସିଟିଭି ଫୁଟେଜରୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ନୟାପଲ୍ଲୀ ଥାନା ସିଆର୍‌ପି ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଶୁକ୍ରବାର ରାତିରେ ୬ଜଣ ଦୁର୍ବୃତ୍ତ କାରରେ ଅପହରଣ ଉଦ୍ୟମ କରିଥିଲେ। ହେଲେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଆର୍‌ଟିଓ ଚେକିଂ ହେଉଥିବାରୁ ଦୁର୍ବୃତ୍ତମାନେ କାର ବୁଲାଇ ଫେରିବା ସମୟରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଧରାପଡ଼ିଯିବା ଭୟରେ ସେମାନେ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଘଟଣାରେ ରବିବାର ପୋଲିସକୁ ଏକ ସିସିଟିଭି ଫୁଟେଜ ମିଳିଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା କୁହାଯାଉଛି। ସେମାନେ କାହିଁକି ଏବଂ କାହା ଇଙ୍ଗିତରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ କରିଥିଲେ, ଅଭିଯୁକ୍ତମାନେ ଗିରଫ ହେବା ପରେ ରହସ୍ୟ ଉନ୍ମୋଚନ ହେବ ବୋଲି ପୋଲିସ କହିଛି। ଚିହ୍ନଟ କରାଯାଇଥିବା ଅଭିଯୁକ୍ତମାନଙ୍କ ଫୁଟେଜକୁ ପୋଲିସ ବ୍ୟବସାୟୀ ଶିବସୁନ୍ଦର ଓ ତାଙ୍କ ସ୍ତ୍ରୀଙ୍କୁ ଦେଖାଇଥିଲେ। ସେମାନେ ଫୁଟେଜରେ ଦେଖାଯାଉଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଥିବା କହିଛନ୍ତି। ଅଭିଯୁକ୍ତମାନେ ଛାଡ଼ିଯାଇଥିବା କାରର ନମ୍ବର ପ୍ଲେଟ୍‌ ନକଲି ଥିବା ମଧ୍ୟ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେମାନେ କାରକୁ ଚୋରି କରି ଆଣି ଅପହରଣରେ ବ୍ୟବହାର କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ ଟିମ୍‌ ଏବଂ ନୟାପଲ୍ଲୀ ପୋଲିସ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଭୁବନେଶ୍ୱର ପାର୍‌ ହୋଇଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ପୋଲିସ ଭୁବନେଶ୍ୱର ବାହାରକୁ ଯାଇ ଚଢ଼ାଉ କରୁଥିବା ଜଣାପଡ଼ିଛି।
ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ଘର ଆଗରେ ଥିବା ଏକ ବରଗଛ ମୂଳରେ କାର(ଓଡି-୦୨ଏୟୁ-୪୩୩୪)କୁ ପାର୍କିଂ କରି ଶ୍ୟାମସୁନ୍ଦର ଏସି ଲଗାଇ ଶୋଇଥିଲେ। ରାତି ପ୍ରାୟ ୪ଟାରେ ଏକ ଇନୋଭା ଗାଡ଼ି(ଓଡି-୦୫-୮୦୦୭) ସେଠାରେ ଲାଗିଥିଲା। କାରରୁ ଜଣେ ବ୍ୟକ୍ତି ଓହ୍ଲାଇଥିବା ବେଳେ ସମସ୍ତେ ମୁହଁରେ କପଡ଼ା ବାନ୍ଧିଥିବା ଶିବସୁନ୍ଦର କହିଛନ୍ତି। ଏହାପରେ ସେମାନେ ଶିବସୁନ୍ଦର ଶୋଇଥିବା କାରର କାଚ ବାଡ଼େଇଥିଲେ। ସେ କାର କାଚ ଖୋଲିବା ପରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ଏହାପରେ ବ୍ୟବସାୟୀଙ୍କ କାରରେ ୪ଜଣ ଜୋରଜବରଦସ୍ତି ବସିଥିଲେ। ଜଣେ କାର ଚଲାଇଥିବା ବେଳେ ଆଉ ଜଣେ ଶିବସୁନ୍ଦରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାରର ବସାଇ ଅପହରଣ ଉଦ୍ୟମ କରିଥିଲେ।