ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପୋତିଦେଲେ ଡ୍ରେନ୍‌:ଘରେ ପଶୁଛି ନର୍ଦ୍ଦମା ପାଣି

ଭୁବନ, ୪।୬(ଡି.ଏନ.ଏ.)

ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଡ୍ରେନ୍‌ଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ନର୍ଦ୍ଦମା ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ବ୍ୟକ୍ତିଗତ ସ୍ବାର୍ଥସାଧନ ଲାଗି ନାଳ ପୋତି ଦିଆଯାଇଛି। ସାମାନ୍ୟ ବର୍ଷା ହେଲେ ଦୁର୍ଗନ୍ଧ ପଚାପାଣି ଘରେ ପଶୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏ ଦିଗରେ ଏନ୍‌ଏସି କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ ଦୃଷ୍ଟି ଦେଉନାହିଁ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାବେଳେ ଏହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।
ଏନ୍‌ଏସିର ସବୁଠାରୁ ବ୍ୟସ୍ତବହୁଳ ୨ନଂ. ଓ୍ବାର୍ଡରେ ଶତାଧିକ ପରିବାର ବାସ କରୁଛନ୍ତି। କାଳୀବଜାର ଭଳି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଏହି ଓ୍ବାର୍ଡରେ ଅବସ୍ଥିତ। ଏହି କାରଣରୁ ଦୈନିକ ଜିଲା ତଥା ଜିଲା ବାହାରୁ ହଜାର ହଜାର ବ୍ୟବସାୟୀ ଏଠାକୁ ଆସିଥାନ୍ତି। ସେହିପରି କାଳୀବଜାରଠାରୁ ଅରବିନ୍ଦ ମାର୍ଗ ଦେଇ ଯାଇଥିବା ଡ୍ରେନ୍‌ ଆବର୍ଜନା ଜଳ ନିଷ୍କାସନର ବଡ଼ ମାଧ୍ୟମ। ହାପି ଅଟୋ ନିକଟରେ ଜଣେ ମୁଷ୍ଟିମେୟ ବ୍ୟକ୍ତି ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ଡ୍ରେନ୍‌କୁ ମାଟି ପକାଇ ପୋତି ଦେଇଛନ୍ତି। ଫଳରେ ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ରୁ ପାଣି ଉଛୁଳି ଘରେ ପଶୁଛି। ଏଥିରୁ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟ ବାଦ୍‌ ପଡୁନି। ରାସ୍ତାରେ ନର୍ଦ୍ଦମା ଜଳ ଜମିରହି ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଛାତ୍ରୀଛାତ୍ରମାନେ ଆବର୍ଜନା ପାଣି ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଶତ୍ରୁଘ୍ନ ପୃଷ୍ଟିଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ଶନିବାର ଦାବିପତ୍ର ଦେଇଥିଲେ। ଏଥିପୂର୍ବରୁ ଏ ସମ୍ପର୍କରେ ଜିଲା ପ୍ରଶାସନର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ଜନସାଧାରଣ ନର୍ଦ୍ଦମା ପାଣିରେ ଘାଣ୍ଟି ହେଉଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ତୁରନ୍ତ ପ୍ରତିକାର କରା ନ ଗଲେ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଅଞ୍ଚଳବାସୀ କହିଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ ବରାଳ କୁହନ୍ତି, ଅଞ୍ଚଳର ଜଣେ ବ୍ୟକ୍ତି ମାଟି ପକାଇ ଡ୍ରେନ୍‌ ଅବରୋଧ କରି ରଖିଛନ୍ତି। ଏ ନେଇ ତାଙ୍କୁ ନୋଟିସ୍‌ କରାଯାଇଛି। କନିଷ୍ଠ ଯନ୍ତ୍ରୀ ଚେତାବନୀ ଦେବା ସତ୍ତ୍ୱେ ସେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଖୁବ୍‌ଶୀଘ୍ର ତାଙ୍କ ବିରୋଧରେ ଏତଲା ଦିଆଯିବ। ଏଥିସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।