ବ୍ରୋନକ୍ସ ଜୁ’ରେ ୪ ବାଘ, ୩ ସିଂହଙ୍କୁ କରୋନା

ନ୍ୟୁୟର୍କ,୨୪ା୪: ନ୍ୟୁୟର୍କର ବ୍ରୋନକ୍ସ ଜୁ’ରେ ଗୋଟିଏ ବାଘୁଣୀ କରୋନା ସଂକ୍ରମିତ ହେବାର ପାଖାପାଖି ୩ ସପ୍ତାହ ପରେ ବୁଧବାର ସେଠାରେ ଆଉ ୪ଟି ବାଘ ଓ ୩ଟି ସିଂହ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଚିଡ଼ିଆଖାନାର ଦେଖାଶୁଣା କରୁଥିବା ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ସୋସାଇଟି (ଡବ୍ଲ୍ୟୁସିଏସ୍‌) ଏହି ସୂଚନା ଦେଇଛି। ମାସ ଆରମ୍ଭରେ ସେଠାରେ ୪ ବର୍ଷର ଏକ ମାଲେସୀୟ ବାଘୁଣୀ କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ପ୍ରଥମ ଘଟଣା ଥିଲା। ୮ ପ୍ରାଣୀ ଧୀରେ ଧୀରେ ସୁସ୍ଥ ହେଉଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି। ସମସ୍ତଙ୍କ ପରୀକ୍ଷା ଭେଟେରିନାରି ଲାବରେଟୋରିରେ ହୋଇଥିଲା। ପ୍ରଥମ ସଂକ୍ରମିତ ବାଘୁଣୀ ନଦିଆର ନାକ, ଗଳା ଓ ଶ୍ୱାସନଳୀରୁ ସ୍ବାବ ନିଆଯାଇ ପରୀକ୍ଷା କରାଯାଇଥିଲା। ଅନ୍ୟମାନଙ୍କର ମଳ ନମୁନାରୁ ଏହି ପରୀକ୍ଷା କରାଯାଇଛି। ଉକ୍ତ ଚିଡ଼ିଆଖାନାରେ ଅନ୍ୟ ବନ୍ୟପ୍ରାଣୀ ଯଥା ବିଭିନ୍ନ ପ୍ରଜାତିର ଚିତାବାଘ, ପୁମା ସୁସ୍ଥ ଅଛନ୍ତି ଓ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଇନାହିଁ। ଜୁ କର୍ମଚାରୀଙ୍କଠାରୁ ଏହି ଭୂତାଣୁ ପ୍ରାଣୀ ଶରୀରକୁ ବ୍ୟାପିଥିବା କୁହାଯାଉଛି। ମଣିଷଠାରୁ ପ୍ରାଣୀ ଦେହକୁ କୋଭିଡ୍‌-୧୯ ସଂକ୍ରମିତ ହେଉଥିବାରୁ ଏଥିପାଇଁ ଜୁ କର୍ତ୍ତୃପକ୍ଷ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ଉହାନର ମାଛ ମାଂସ ବଜାରରୁ ପ୍ରଥମେ କରୋନା ଭୂତାଣୁ ମଣିଷକୁ ସଂକ୍ରମିତ ହୋଇଥିବା କୁହାଯାଉଥିଲେ ହେଁ ଅନ୍ୟ କୌଣସିଠାରେ ପ୍ରାଣୀଙ୍କଠାରୁ ମଣିଷ ଦେହକୁ ସଂକ୍ରମିତ ହେବାର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ନ୍ୟୁୟର୍କରେ ଦୁଇଟି ପୋଷା ବିରାଡ଼ି କୋଭିଡ୍‌ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କ ମାଲିକ ଓ ଅନ୍ୟମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଭୟ କରିବାର କୌଣସି କାରଣ ନାହିଁ ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି।

Share