ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ପାର୍ଲାମେଣ୍ଟ ସ୍ଥଗିତ ବେଆଇନ

ଲଣ୍ଡନ,୧୨ା୯: ବ୍ରେକ୍‌ଜିଟକୁ ନେଇ ବିବାଦ ଜାରି ରହିଥିବାବେଳେ ବ୍ରିଟେନ ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ବେଆଇନ ବୋଲି ସ୍କଟଲାଣ୍ଡର ସେସନ୍ସ କୋର୍ଟ ବୁଧବାର ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କୁ ଶକ୍ତ ଝଟ୍‌କା ଲାଗିଛି। ପାର୍ଲାମେଣ୍ଟ କାର୍ଯ୍ୟରେ ବାଧା ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା କୋର୍ଟ ମତ ଦେଇଛନ୍ତି। ପ୍ରବଳ ବିରୋଧ ସତ୍ତ୍ୱେ ମଙ୍ଗଳବାରଠାରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ପାର୍ଲାମେଣ୍ଟକୁ ସ୍ଥଗିତ ରଖାଯାଇଛି। ହାଉସ ଅଫ୍‌ କମନ୍ସର ବାଚସ୍ପତି ଜନ୍‌ ବେର୍‌କୋଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହାର ବିରୋଧ କରିଥିଲେ। ପାର୍ଲାମେଣ୍ଟ ସ୍ଥଗିତ ଘୋଷଣାକୁ ବ୍ରିଟେନ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଆସନ୍ତା ମଙ୍ଗଳବାର ଏହାର ଶୁଣାଣି ହେବ। ଅକ୍ଟୋବର ୩୧ ବ୍ରେକ୍‌ଜିଟର ଶେଷ ତାରିଖ ଥିବାବେଳେ ଆଲୋଚନାକୁ ଏଡାଇବା ପାଇଁ ପାର୍ଲାମେଣ୍ଟକୁ ସ୍ଥଗିତ ରଖାଯାଇଥିବା ଲେବର ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡିକ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସେସନ୍ସ କୋର୍ଟଙ୍କ ରାୟକୁ ନେଇ ଆମେ ଅସନ୍ତୁଷ୍ଟ ଓ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ ବୋଲି ସରକାରଙ୍କ ମୁଖପାତ୍ର କହିଛନ୍ତି।

Share