Categories: ଫୁରସତ

ବ୍ରିଟେନରେ ସବୁଠୁ ଅଧିକ ପଢୁଛନ୍ତି ଭାରତୀୟ ଛାତ୍ର

ଲଣ୍ଡନ : ବ୍ରିଟେନକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରଙ୍କ ମଧ୍ୟରେ ସବୁଠାରୁ ଅଧିକ ଭାରତୀୟ ରହିଛନ୍ତି। ବର୍ଷକୁ ଲକ୍ଷେରୁ ଅଧିକ ଛାତ୍ର ଏଠାକୁ ପଢ଼ିବାକୁ ଆସିଥାନ୍ତି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଭାରତୀୟ ଛାତ୍ରଙ୍କ ସଂଖ୍ୟା ପ୍ରାୟ ୧୦୭ ପ୍ରତିଶତ ଛୁଇଁଛି। ୟୁନିଭରସିଟି ଅଫ୍‌ ଓ୍ବେଷ୍ଟ୍‌ ଇଂଲଣ୍ଡ ଇଣ୍ଟରନ୍ୟାଶନାଲ ଡାଇରେକ୍ଟର ପ୍ରଫେସର ‘ରେ’ ପ୍ରିଷ୍ଟଙ୍କ ଅନୁସାରେ ଏହି ଛାତ୍ରଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ବ୍ରିଟେନ୍‌ରେ ଥିବା ୧୨୦ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଓ୍ବେଷ୍ଟ୍‌ ଇଂଲଣ୍ଡ ଭାରତରେ ଏକ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରୁଛି। ଏଠାରେ ୫୦୦ରୁ ଅଧିକ କୋର୍ସ ଅଫର କରୁଛି। ବିଶେଷକରି ଭାରତୀୟ ଛାତ୍ରମାନେ ସବୁଠୁ ଅଧିକ ବିଜ୍‌ନେସ ମ୍ୟାନେଜ୍‌ମେଣ୍ଟ, ଇଞ୍ଜିନିୟରିଂ, ସୋସିଆଲ ଲାଇଫ୍‌, ନର୍ସିଂ ଏବଂ ସ୍ବାସ୍ଥ୍ୟ ବିଷୟରେ ଆଡମିଶନ ନେଉଛନ୍ତି।
ବ୍ରିଟେନ୍‌ ସରକାର ୨୦୧୯ ସେପ୍ଟେମ୍ବରରେ ଅନ୍ତଃରାଷ୍ଟ୍ରୀୟ ଛାତ୍ରଙ୍କ ପାଇଁ କିଛି ସୁବିଧା ଘୋଷଣା କରିଥିଲେ। ଏଥିରେ ପାଠ ପଢ଼ା ପରେ ୨ ବର୍ଷ ପାଇଁ ଜବ୍‌ ଭିଜା ଦେବାକୁ ଘୋଷଣା କରିଥିଲେ। ଏହାଦ୍ୱାରା ଭାରତୀୟ ଛାତ୍ରମାନେ ବ୍ରିଟେନ୍‌ରେ ନିଜର ସଫଳ କ୍ୟାରିୟର ଗଢ଼ିପାରିବାର ସୁଯୋଗ ପାଇବେ। ବ୍ରିଟେନ୍‌ରେ ଭାରତୀୟ ଛାତ୍ର ଚାଇନା ତୁଳନାରେ ୩ ଗୁଣ ଏବଂ ସାରା ବିଶ୍ୱରେ ୪ ଗୁଣରୁ ଅଧିକ ବୋଲି ରିପୋର୍ଟରୁ ପ୍ରକାଶ।

Share