ବ୍ରଜରାଜନଗରର ବିଭିନ୍ନ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ପ୍ରଶାସନ

ଝାରସୁଗୁଡ଼ା ଅଫିସ,୩୦ା୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ମ୍ୟୁନିସିପାଲିଟିର ବୁଢ଼ିଜାମ ଅଞ୍ଚଳରେ ବୁଧବାର ଜଣେ ଯୁବତୀଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ବରୁପ ବୁଧବାର ରାତିରେ ବ୍ରଜରାଜଥନଗରର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଓ ବଫର ଜୋନ୍‌ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳଗୁଡିକରେ ବିଭିନ୍ନ କଟକଣା କରାଯାଇଛି। ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ଚିଠି ନଂ.୪୯୩୯(୨୯.୪.୨୦)ରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନାନୁଯାୟୀ, ବ୍ରଜରାଜନଗରର ପଟ୍ଟଯୋଶୀ ଛକରୁ ଆମ୍ବେଦକର ଛକ ରାସ୍ତା ଦେଇ ଗୁଢ଼ବାବା ମନ୍ଦିର, ଗୁଆଳପଡ଼ା ଦୁର୍ଗାମନ୍ଦିର, ସୁବାସ ଛକ ଶିବମନ୍ଦିର, ଟନେଲ ରୋଡ୍‌, ରେଲୱେ ଫାଟକ, ଲାଜକୁରା ରୋଡ୍‌, ସିତାରା ଛକ, ସାନ ଜବ ପ୍ରାଇମେରୀ ସ୍କୁଲ, ରାମଗଡ ବନ୍ଧ, ୩ ନମ୍ବର ମାଇନ୍ସ ରୋଡ୍‌ ଛକ ଦେଇ ପଟ୍ଟଯୋଶୀ ଛକକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ ଥିବା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସେହିପରି ବାଇପାସ୍‌ ରୋଡ୍‌ରୁ ଏମ୍‌ସିଏଲ କଲ୍ୟାଣ ମଣ୍ଡପ ରାସ୍ତା ଦେଇ ଜିଏମ୍‌ କମ୍ପ୍ଳେକ୍ସ ରୋଡ୍‌, ଖଲିଆକାନୀ ଛକ, ପାଓ୍ବର ହାଉସ୍‌ ଛକ, ଭୂତ ବଙ୍ଗଳା ଛକ, ଇଏସ୍‌ଆଇ ଛକ, ବିଜୁ ପଟ୍ଟନାୟକ ଛକ, ଆନ୍ଦା ଛକ, ଟନେଲ ରୋଡ୍‌, ଗଙ୍ଗାନଗର ଛକ, ଗୋପିବିହାରୀ ରୋଡ୍‌, ରେଲଓ୍ବେ ଫାଟକ, ସୋବ ଛକରୁ ୩ ନମ୍ବର ମାଇନ୍ସ କଲୋନୀ ରାସ୍ତା ଦେଇ ବାଇପାସ ରୋଡ୍‌କୁ ସଂଯୋଗ କରୁଥିବା ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇଛି। ନିର୍ଦ୍ଦେଶକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଏହି ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଜିଲା ପ୍ରଶାସନ ପକ୍ଷରୁ ନୋଡାଲ ଅଫିସର ଭାବେ ଝାରସୁଗୁଡ଼ା ତହସିଲଦାର, ବ୍ରଜରାଜନଗର ମ୍ୟୁନିସିପାଲିଟିର ଏକ୍‌ଜିକ୍ୟୁଟିଭ୍‌ ଅଫିସର, କୋଲାବିରା ତହସିଲଦାର, ବ୍ରଜରାଜନଗର ସିଏଚ୍‌ସିର ମେଡିକାଲ ଅଫିସର, ଝାରସୁଗୁଡ଼ା ଉପଜିଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।