ବୌଦ୍ଧିକ ସ୍ବଚ୍ଛତା

ପ୍ରକାଶ ତ୍ରିପାଠୀ
ସବୁ ମଣିଷ ସମାନ। ଏ କଥା କେବଳ ଆମ ଧର୍ମଗ୍ରନ୍ଥ ବା ଶାସ୍ତ୍ର ଆଦିରେ ଲେଖା ନାହିଁ। ଆମ ବିବେକ ମଧ୍ୟ ସ୍ବୀକାର କରେ ଯେ, ସଂସାରର ସବୁ ମଣିଷକୁ ପରମାତ୍ମା ଏକାଭଳି ଜନ୍ମ ଦେଇଛନ୍ତି। ତେଣୁ ମଣିଷ ନିଜ ନିଜ ଭିତରେ ଜନ୍ମ ଜାତି ଆଧାରରେ ଉଚ୍ଚ-ନୀଚ ବା ଛୁଆଁ-ଅଛୁଆଁର ଭେଦଭାବ ରଖିବା ସମ୍ପୂର୍ଣ୍ଣ ଅଯଥାର୍ଥ। ଜଣଙ୍କର କର୍ମ ଓ ଆଚରଣକୁ ଦେଖି ତାକୁ ଉତ୍କୃଷ୍ଟ ବା ନିକୃଷ୍ଟ କୁହାଯାଇପାରେ। ମାତ୍ର ଜଣକୁ ତା’ର ଜାତି ବା ଜନ୍ମକୁ ନେଇ ନିକୃଷ୍ଟ କହିବା କେତେଦୂର ସଙ୍ଗତ। ଏ ପ୍ରସଙ୍ଗରେ ସମ୍ପ୍ରତି ତାମିଲନାଡୁରେ ଘଟିଥିବା ଦୁଇଟି ଘଟଣାର ଅବତାରଣା କରାଯାଇପାରେ। ପ୍ରଥମ ଘଟଣାଟି ଘଟିଛି ତାମିଲନାଡୁର କୋଏମ୍ବାଟୁର ଜିଲା ଅନ୍ତର୍ଗତ ବିଧି ଗ୍ରାମରେ। ଏହି ଘଟଣାଟିର ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ଆସିଲା, ତାହା ଦେଖି ପ୍ରତ୍ୟେକ ସଭ୍ୟ ଭାରତୀୟଙ୍କୁ ନିଶ୍ଚିତ ଲଜ୍ଜାବୋଧ ଆସିଥିବ। କାରଣ ଯେଉଁ ଦେଶ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଅଭିଯାନ ଆରମ୍ଭ କରି ବିଶ୍ୱରେ ସୁନାମ ସାଉଁଟୁଛି, ସେହି ଦେଶରେ ଏବେ ବି ଏତେ ହୀନମନ୍ୟତା ତଥା କୁସଂସ୍କାର ଭରିରହିଛି। ନିଜ ନିଜ ଭିତରେ ଅସ୍ପୃଶ୍ୟତା ତଥା ଉଚ୍ଚ-ନୀଚ ଭାବନାରେ ମଣିଷ ବୁଡିରହିଛି। ଘଟଣାଟି ଏହିପରି। ବିଧି ଗ୍ରାମରେ ଜଣେ ଦଳିତଙ୍କ ଦେହାନ୍ତ ହେବା ପରେ ତାଙ୍କ ମୃତଦେହକୁ ନିକଟସ୍ଥ ଶ୍ମଶାନକୁ ଅନ୍ତିମ ସଂସ୍କାର ନିମନ୍ତେ ନିଆଯାଉଥିଲା। ଶ୍ମଶାନକୁ ଯାଇଥିବା ଏକମାତ୍ର ଗ୍ରାମ୍ୟ ରାସ୍ତାରେ ମୃତ ଶରୀରକୁ ନିଜ ଆତ୍ମୀୟମାନେ ନେଇଯାଉଥିଲା ବେଳେ ଗ୍ରାମର ସବର୍ଣ୍ଣମାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଦଳିତଙ୍କ ମୃତଦେହ ଗ୍ରାମର ମୁଖ୍ୟରାସ୍ତାରେ ଯାଇପାରିବ ନାହିଁ ବୋଲି ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଶୁଣାଇ ଦିଆଗଲା। ଯେତେ ଅନୁରୋଧ କରାଗଲେ ମଧ୍ୟ ଶ୍ମଶାନକୁ ଯାଇଥିବା ସେହି ଏକମାତ୍ର ରାସ୍ତାରେ ମୃତଦେହ ଯିବାକୁ ଅନୁମତି ମିଳି ନ ଥିଲା। ଶେଷରେ ଆବର୍ଜନାପୂର୍ଣ୍ଣ ନର୍ଦ୍ଦମା ଅଞ୍ଚଳ ଦେଇ ମୃତଦେହକୁ ଶ୍ମଶାନ ନିଆଯାଇଥିଲା ଅନ୍ତିମ ସଂସ୍କାର ପାଇଁ। ଏହିଭଳି ଦ୍ୱିତୀୟ ଘଟଣାଟି ଘଟିଥିଲା ସେହି ତାମିଲନାଡୁର ଭେଲୋର ଜିଲାରେ ଗତ ଅଗଷ୍ଟ ମାସରେ। ଘଟିଥିବା ଏହି ଲଜ୍ଜାଜନକ ଘଟଣାଟି
ଆମ ମଣିଷପଣିଆର ଏକ ନଗ୍ନଚିତ୍ରର ଜ୍ୱଳନ୍ତ ଉଦାହରଣ। ଜଣେ ୪୬ ବର୍ଷୀୟ ଦଳିତ ବ୍ୟକ୍ତିଙ୍କ ମରଶରୀରକୁ ଯେତେବେଳେ ଶ୍ମଶାନଘାଟକୁ ନିଆଯାଉଥିଲା, ସେତେବେଳେ ସେହି ଗ୍ରାମର ସବର୍ଣ୍ଣ ତଥା ଅଣଦଳିତ ଲୋକମାନେ ଦଳିତଙ୍କ ମୃତଦେହକୁ ସେମାନଙ୍କ ଜମି ଉପରଦେଇ ନେଇଯିବାକୁ ମନା କରିଦେଇଥିଲେ। ଦଳିତଙ୍କ ମୃତଶରୀର ସେମାନଙ୍କ କ୍ଷେତ ଉପରଦେଇ ଗଲେ ଜମି ଅପବିତ୍ର ହୋଇଯିବ ବୋଲି ସଫେଇ ଦେଇ ଶବଯାତ୍ରାଙ୍କୁ ବିରୋଧ କରିଥିଲେ ସବର୍ଣ୍ଣମାନେ। ଶ୍ମଶାନକୁ ମୃତଦେହ ନେବା ପାଇଁ ଅନ୍ୟ କୌଣସି ରାସ୍ତା ନ ଥିବାରୁ ମୃତବ୍ୟକ୍ତିଙ୍କ ପରିବାର ପକ୍ଷରୁ ଅନେକ ଅନୁନୟ ସତ୍ତ୍ୱେ ଗ୍ରାମବାସୀ ସେମାନଙ୍କ ଜିଦିରେ ଅଟଳ ରହିଥିଲେ। ଶେଷରେ ଅନନ୍ୟୋପାୟ ହୋଇ ନିକଟସ୍ଥ ଏକ ପୋଲ ଉପରେ ମୃତଦେହକୁ ଦଉଡିରେ ବାନ୍ଧି ନଦୀଗର୍ଭକୁ ଖସାଯାଇଥିଲା ଓ ନଦୀ କଡ଼େ କଡ଼େ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ନିକଟରେ ସୋସିଆଲ ମିଡିଆରେ ଏହି ଦୁଇଟି ଦୁଃଖଦ ଘଟଣା ଦେଖିବା ପରେ ମନେପଡେ ତାମିଲନାଡୁରେ ପ୍ରଚଳିତ ଆଉ ଏକ ଘୃଣ୍ୟ ପରମ୍ପରାର କଥା। ପଢ଼ିଥିବା ତଥ୍ୟ ଅନୁଯାୟୀ ତାମିଲନାଡୁର କିଛି ଅଞ୍ଚଳରେ ଜାତିପ୍ରଥା ଏତେ ଉତ୍କଟ ଯେ, ଦଳିତମାନଙ୍କୁ ଅଣ୍ଡିରା କୁକୁର ପାଳିବାକୁ ବି ଅନୁମତି ମିଳି ନ ଥାଏ। କାରଣ ଦଳିତଙ୍କ ଦ୍ୱାରା ପାଳିତ ଅଣ୍ଡିରା କୁକୁର ଦ୍ୱାରା ଯେପରି ସବର୍ଣ୍ଣମାନଙ୍କ ମାଈ କୁକୁର ଗର୍ଭଧାରଣ ନ କରେ।
ଯଦି ଏକବିଂଶ ଶତାବ୍ଦୀରେ ସମୃଦ୍ଧିଶାଳୀ ଭାରତରେ ଏପରି ଘଟଣା ଘଟିଛି ତେବେ ଅତୀତରେ ଏଠାକାର ସାମାଜିକ ସ୍ଥିତିକୁ ସହଜରେ ଅନୁମାନ କରାଯାଇପାରେ। ଉପରୋକ୍ତ ଘଟଣା ଆଜିର ନୁହଁ କି ନୂଆ ଘଟଣା ବି ନୁହେଁ। ଶହ ଶହ ବର୍ଷ ଧରି ଏହିଭଳି ଅନେକ ଘୃଣ୍ୟ ଓ ଲଜ୍ଜାଜନକ ଜାତିପ୍ରଥାଜନିତ ଘଟଣା ଭାରତରେ ଘଟିଚାଲିଛି। ଶାସ୍ତ୍ରକାରଙ୍କ ମତରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଶରୀରର ବିଭିନ୍ନ ଅଂଶରୁ ଚାରିବର୍ଣ୍ଣ ବା ଜାତିର ସୃଷ୍ଟି। ବ୍ରହ୍ମାଙ୍କ ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଜଙ୍ଘରୁ ବୈଶ୍ୟ ଓ ପାଦରୁ ଶୂଦ୍ର ସୃଷ୍ଟି ଫଳରେ ସମାଜରେ ଚାରିବର୍ଣ୍ଣ ପ୍ରତିଷ୍ଠିତ ହେଲେ। ଉପର ସ୍ତରରେ ରୁହନ୍ତି ବ୍ରାହ୍ମଣ, ଯେଉଁମାନେ କି ଶିକ୍ଷାଦାନ, ଜ୍ଞାନଦାନ ସହ ଦେବତାଙ୍କୁ ପୂଜାର୍ଚ୍ଚନାପୂର୍ବକ ବିଜ୍ଞ ଶ୍ରେଣୀ ଭାବେ ପରିଚିତ ହେଲେ। ବ୍ରାହ୍ମଣଙ୍କ ପରେ ଦ୍ୱିତୀୟ ସ୍ତରରେ ରହିଲେ କ୍ଷତ୍ରିୟ, ଯେଉଁମାନେ କି ଯୋଦ୍ଧା ସହ ଶାସନ ପରିଚାଳନାର ଦାୟିତ୍ୱ ନିର୍ବାହ କଲେ। ବ୍ୟବସାୟ, ବାଣିଜ୍ୟ, ପଶୁପାଳନ କାର୍ଯ୍ୟ ନିର୍ବାହ କଲେ ବୈଶ୍ୟ। ଚତୁର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଲେ ଶୂଦ୍ର, ଯେଉଁମାନେ କି ଶ୍ରମିକ ତଥା ସେବା କାର୍ଯ୍ୟ ସମ୍ପାଦନ କଲେ। ଏହି କାର୍ଯ୍ୟ ବଂଶାନୁକ୍ରମିକ ଭାବେ ସମ୍ପାଦନ ହେବା ଯୋଗୁ ବର୍ଣ୍ଣ-ବର୍ଣ୍ଣ ମଧ୍ୟରେ ଦୂରତା ଓ ବୈଷମ୍ୟ ସୃଷ୍ଟିହୋଇ ସମାଜରେ ଅସମାନତା ଜନ୍ମ ନେଲା। ବର୍ଣ୍ଣ ବିଭାଗ ଏକପ୍ରକାର ପ୍ରାକୃତିକ ବିନ୍ୟାସ ଓ ଜୀବନ-ସମସ୍ୟା ସମାଧାନର ଏକ ସ୍ବାଭାବିକ ପନ୍ଥା। ମଣିଷ ଦଳ ବାନ୍ଧିବେ, ଏଥରୁ ପରିତ୍ରାଣ ନାହିଁ। ବିଶ୍ୱର ଯେଉଁ ଭାଗକୁ ଯାଅ ସବୁଠାରେ ସମାଜ ନାନା ଦଳରେ ବିଭକ୍ତ। କିନ୍ତୁ ଏହାର ଅର୍ଥ ନୁହେଁ, ଦଳଗତ ଅଧିକାର ଭେଦ ରଖିବାକୁ ହେବ। ସାମାଜିକ ଜୀବନରେ ପ୍ରତ୍ୟେକ ମଣିଷ ପ୍ରତ୍ୟେକ କାମରେ ସିଦ୍ଧହସ୍ତ ହୋଇପାରନ୍ତି ନାହିଁ। ଜଣେ ଯୋଦ୍ଧା ହୋଇପାରେ ମାତ୍ର କାଠର ସାଧାରଣ ଚୌକିଟିଏ କରି ନ ପାରେ। ଜଣେ ପଣ୍ଡିତ ହୋଇପାରେ, ମାତ୍ର ସେ ଜୋତା ସିଲାଇ କରି ନ ପାରେ। ଏହି ଯୋଗ୍ୟତା ଆଧାରରେ ପ୍ରତ୍ୟେକ ମଣିଷ ନିଜ ନିଜ କାର୍ଯ୍ୟରେ ଦକ୍ଷ। କିନ୍ତୁ ଏହି ଯୋଗ୍ୟତାର ତାରତମ୍ୟ ହେତୁ ଜଣେ ଉଚ୍ଚ ଓ ଜଣେ ନୀଚ ଭାବିବା ସମ୍ପୂର୍ଣ୍ଣ ଭୁଲ। କର୍ମର ପ୍ରକାରଭେଦ କରାଯାଇ ଚତୁର୍ଥ ଶ୍ରେଣୀ ପର୍ଯ୍ୟାୟଭୁକ୍ତ ହୋଇଥିବା ଶୂଦ୍ରଙ୍କ କର୍ମକୁ ନୀଚକର୍ମ ଦର୍ଶାଯାଇ ଅସ୍ପୃଶ୍ୟତାର ଯେଉଁ ବୀଜ ବପନ ହେଲା ତାହା ସମୟକ୍ରମେ ମହାଦ୍ରୁମରେ ପରିଣତ ହେଲା। ସମାଜରେ ଜାତି-ଜାତି ମଧ୍ୟରେ ଅସମାନତା ବୃଦ୍ଧି ଯୋଗୁ ଏହା ସମାଜରେ ଏକତା ଓ ଅଖଣ୍ଡତାରେ ଅନ୍ତରାୟ ହେଲା। କିଛି ଇତିହାସକାରଙ୍କ ମତରେ, ଭାରତକୁ ଆର୍ଯ୍ୟମାନଙ୍କ ଆଗମନ ପରେ ଜାତିପ୍ରଥା ଉତ୍କଟ ହୋଇଥିଲା, ଯାହାକି ପରେ ଭାରତର ଅଖଣ୍ଡତାକୁ ଆଘାତ ଦେଇଥିଲା। ରାଜ୍ୟ-ରାଜ୍ୟ ମଧ୍ୟରେ ଶତ୍ରୁତାର ଏହା ମୂଳକାରଣ ଥିଲା। ଏପରିକି ଏହାର ସୁଯୋଗ ନେଇ ହଜାର ହଜାର ବର୍ଷ ଧରି ଅନେକ ବିଦେଶୀ ଶାସକ ଭାରତକୁ ଆକ୍ରମଣ କରିବାର ପଥ ସୁଗମ ହୋଇଥିଲା। ଆଲେକଜାଣ୍ଡାରଙ୍କ ଦ୍ୱାରା ପୁରୁଙ୍କ ପରାଜୟ ପଛରେ ଏହି ଜାତିପ୍ରଥାକୁ କିଛି ଇତିହାସକାର ଗୁରୁତ୍ୱ ଦିଅନ୍ତି। ଯୁଦ୍ଧ ପୂର୍ବରୁ ଆଲେକଜାଣ୍ଡାର ଶତ୍ରୁ ଶିବିରର ରଣନୀତି ଜାଣିବାକୁ ନିର୍ଦ୍ଦେଶ ଦେଲେ। ରାତିରେ ଗୁପ୍ତଚରଟି ପୁରୁ ଓ ତାଙ୍କର ସହଯୋଗୀ ରାଜାଙ୍କ ଶିବିରକୁ ଯାଇ ଦେଖିଲେ ଯେ, ବିଭିନ୍ନ ଜାଗାରେ ଅଲଗା ଅଲଗା ରୋଷେଇ ହେଉଛି ଓ ସୈନ୍ୟସାମନ୍ତମାନେ ଅଲଗା ଅଲଗା ହୋଇ ଖାଉଛନ୍ତି। ଅନ୍ୟ କୌଣସି ରଣନୀତି ସମ୍ପର୍କରେ ସୁରାକ୍‌ ନ ପାଇ ଗୁପ୍ତଚରଟି ଏହି ବିଷୟ ଆଲେକଜାଣ୍ଡାରଙ୍କୁ କୁହନ୍ତେ, ଗ୍ରୀକ୍‌ ବୀର ଖୁସି ହୋଇଯାଇଥିଲେ। ଆଲେକଜାଣ୍ଡାରଙ୍କ ଖୁସିର କାରଣ ଜାଣିବାକୁ ଉପସ୍ଥିତ ସେନା ଆଗ୍ରହ ପ୍ରକାଶ କରନ୍ତେ ସେ କହିଥିଲେ ଯେ, ଜାତିପ୍ରଥା ଭଳି ଏକ କୁତ୍ସିତ ପ୍ରଥାରେ ଭାରତୀୟମାନେ ଆକ୍ରାନ୍ତ ବୋଲି ସେ ଶୁଣିଥିଲେ ଓ ସେ ତା’ର ପ୍ରମାଣ ଆଜି ପାଇଗଲେ। ଯେଉଁ ସୈନ୍ୟମାନେ ଜାତି ଆଧାରରେ ଏକାଠି ବସି ଖାଇବାକୁ ପସନ୍ଦ କରୁନାହାନ୍ତି, ସେମାନେ ଏକତ୍ରିତ ହୋଇ ଏକ ମନରେ ଆଲେକ୍‌ଜାଣ୍ଡାରଙ୍କ ଭଳି ଯୋଦ୍ଧାଙ୍କ ବିପକ୍ଷରେ କିପରି ଯୁଦ୍ଧ କରିପାରିବେ। ଆଲେକ୍‌ଜାଣ୍ଡାରଙ୍କ ଆକଳନ ସତ୍ୟ ହେଲା ଓ ସେ ବିଜୟୀ ହେଲେ।
ଦଳିତମାନେ ଅସ୍ପୃଶ୍ୟ- ଏହି ଘୃଣ୍ୟ ମନୋଭାବ ପରିହାର ନ ହେବା ଯାଏ ହିନ୍ଦୁଧର୍ମର ବା ଭାରତବର୍ଷର ଉନ୍ନତି ହୋଇପାରିବ ନାହିଁ। ଏହିଭଳି କୁସଂସ୍କାର ଓ ରୂଢ଼ିବାଦ ଧର୍ମାନ୍ତରୀକରଣର ବାଟ ଫିଟାଉଛି। ବ୍ୟକ୍ତିର ରଙ୍ଗ, ବର୍ଣ୍ଣ, କୁଳ, ଗୋତ୍ର ଯାହା ହେଉ ନା କାହଁକି, ଈଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ସମାନ। ଉଚ୍ଚ-ନୀଚ ମନୋଭାବ ତଥା ଅସ୍ପୃଶ୍ୟତା ଭଳି କଳଙ୍କକୁ ଦୂର କରିବା ପ୍ରତ୍ୟେକ ବୁଦ୍ଧିଶୀଳ ଓ ବିଚାରଶୀଳ ଭାରତୀୟଙ୍କ କର୍ତ୍ତବ୍ୟ। ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କେବଳ ଭୌତିକ ସ୍ବଚ୍ଛତା ଭିତରେ ସୀମିତ ନ ହୋଇ ବୌଦ୍ଧିକଭାବେ ସ୍ବଚ୍ଛ ହେବା ମଧ୍ୟ ଆବଶ୍ୟକ, କାରଣ ଅସ୍ପୃଶ୍ୟତା ଏକ ମାନସିକ ଆବର୍ଜନା, ଜାତିପ୍ରଥା ଏକ ସାମାଜିକ ବିକୃତି।
ଇ-ମେଲ: Prakas. tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri