ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପୁରୀ ଗଲା

ବୌଦ୍ଧ, ୨୫ା୪(ସ୍ବ.ପ୍ର):ପୁରୀ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପଠାଯାଇଛି। ଶନିବାର ଅପରାହ୍ନରେ ଜିଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନି ଦେଇ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ତିନିଟି ଟ୍ରକରେ କାଠ ପଠାଇଥିଲେ। ବୌଦ୍ଧ ବନଖଣ୍ଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁନ୍ଦୁଳିଆ ପଞ୍ଚାୟତର ମନମୁଣ୍ଡାରେ ମାଳତୀଗୋଛାପଡା ଜଙ୍ଗଲରୁ ୩୦ଖଣ୍ଡ ଧଉରା ଓ ୨୭ ଖଣ୍ଡ ଫାସୀ କାଠ କଟାଯାଇ ତିନୋଟି ଟ୍ରକରେ ବୌଦ୍ଧ ଅଣାଯାଇଥିଲା। ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା ପରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ, ଜିଲା ଦୌରାଜଜ୍‌ ଅରବିନ୍ଦ କୁମାର ଗୁରୁ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ,ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଲକ୍ଷ୍ମୀଧର ସାହୁ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ କୁମାର ନାଏକ, ଅବକାରୀ ଅଧିକ୍ଷକ ଶାନ୍ତନୁ କୁମାର ଦାଶ ପ୍ରମୁଖ ସବୁଜ ପତାକା ଦେଖାଇ ରଥାକାଠକୁ ବିଦାୟ ଦେଇଥିଲେ। ଏହି ଅବସରରେ ରଥକାଠ ସଂଗ୍ରହ ପାଇଁ ଆସିଥିବା ପୁରୀର ପ୍ରତିନିଧି ସୁଦର୍ଶନ ମେକାପ, ସୀତାରାମ ମହାରଣା ଓ ସୁରେଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ତୃତୀୟ ବର୍ଷ ପାଇଁ ବୌଦ୍ଧରୁ ପୁରୀ ରଥ ନିର୍ମାଣ ପାଇଁ ରଥକାଠ ପଠାଯାଇଛି। ଚଳିତବର୍ଷ ଆହୁରି ଦୁଇଟ୍ରକ କାଠ ଯିବ ବୋଲି ବନ ବିଭାଗ ନିକଟରୁ ସୂଚନା ମିଳିଛି।