ବୋରିଂରୁ ମିଳିବ ମୁକ୍ତି: ଅନ୍‌ଲାଇନରେ ଚିତ୍ରାଙ୍କନ, ସ୍ଲୋଗାନ ପ୍ରତିଯୋଗିତା

ଛତ୍ରପୁର, ୮ା୩(ଡି.ଏନ୍‌.ଏ.)- ଟେଲି ମେଡ଼ିସିନ ନେଇ ଡାକ୍ତର ପ୍ୟାନେଲ ହେଉ କି କ୍ୟାରିୟର ପାଇଁ ଏକ୍ସପର୍ଟ ଗ୍ରୁପ ବନାଇ କରୋନା ସମୟରେ ଗଞ୍ଜାମ ଜିଲା ପ୍ରଶାସନ ଚର୍ଚ୍ଚାକୁ ଆସିଛି। ଏବେପୁଣି ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଅନ୍‌ଲାଇନରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହାଫଳରେ ପିଲାମାନେ ଘରେ ବସି ବୋର୍‌ ହେବେନି। ଏନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲା ପ୍ରଶାସନର ସହଯୋଗରେ ଏକ୍ସଜେନ୍‌ ପକ୍ଷରୁ ପଞ୍ଚମରୁ ସପ୍ତମ ଶ୍ରେଣୀ, ଅଷ୍ଟମରୁ ଦଶମ ଶ୍ରେଣୀ ଏବଂ ଏକାଦଶରୁ ଯୁକ୍ତତିନି ଛାତ୍ରୀଛାତ୍ରମାନେ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇପାରିବେ। ଘରେ ରହି ଜୀବନ ବଞ୍ଚାଅ, ପ୍ରିୟ ଖେଳାଳି, ନିଜ ବାପା’ ମା, ରାଜନୈତିକ ବ୍ୟକ୍ତିଙ୍କ ଫଟୋ ଉପରେ ଚିତ୍ରଆଙ୍କି ଅନ୍‌ଲାଇନରେ ୧୫ତାରିଖ ମଧ୍ୟରେ ପଠାଇବେ। ବିଭିନ୍ନ କାଟାଗୋରିରେ ୧ ହଜାର, ୨ହଜାର, ୩ ହଜାର ଟଙ୍କା ପୁରସ୍କାର ମିଳିବ। ସେହିପରି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜେନେରେସ୍‌ ଫାଉଣ୍ଡେସନ ସହଯୋଗରେ ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘରେ ରୁହ ଜୀବନ ବଞ୍ଚାଅ କିମ୍ବା ସଡକ ସୁରକ୍ଷା ବିଷୟ ଉପରେ ସ୍ଲୋଗାନ ଲେଖି ଅନ୍‌ଲାଇନରେ ପ୍ରତିଯୋଗିତା ହେବ। ୧୪ ସୁଦ୍ଧା ଏହା ପଠାଇବାକୁ କୁହାଯାଇଛି। କୃତୀଙ୍କୁ ୧ ହଜାର ପ୍ରତି କେଟେଗୋରୀରେ ପୁରସ୍କାର ମିଳିବ॥