ବୈଷ୍ଣୋଦେବୀ ଯାତ୍ରା ବନ୍ଦ: ଶୀତଳ ଭଣ୍ଡାରରେ ୩୦୦ କୋଟିର ଡ୍ରାଏ ଫ୍ରୁଟସ୍‌

କଟରା,୧୫।୬: କରୋନା ସଂକ୍ରମଣ ଯୋଗୁ ଜମ୍ମୁ-କଶ୍ମୀରରେ ବୈଷ୍ଣୋଦେବୀ ଯାତ୍ରା ବନ୍ଦ କରାଯାଇଛି। ଫଳରେ ଏଠାରେ ଡ୍ରାଏ ଫ୍ରୁଟସ୍‌ ଏବଂ ପ୍ରସାଦ ବିକ୍ରି କରୁଥିବା ୪୦୦ରୁ ଅଧିକ ଦୋକାନୀଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏଠାରେ ୧୨୮ ପଞ୍ଜିକୃତ ଦୋକାନ ଥିବା ବେଳେ ଅନ୍ୟ ଦୋକାନଗୁଡ଼ିକ ବିନା ପଞ୍ଜିକରଣରେ କାରବାର କରିଥାନ୍ତି। ଯାତ୍ରା ବନ୍ଦ ହେବାରୁ ପ୍ରତିଦିନ ୧୦ରୁ ୧୨ କୋଟି ଟଙ୍କାର କ୍ଷତି ହେଉଥିବା କୁହାଯାଉଛି। ଡ୍ରାଏ ଫ୍ରୁଟସ୍‌ ଦୋକାନରେ ରହିଲେ ଖରାପ ହେବାର ଆଶଙ୍କା ଥିବାରୁ ଏସବୁକୁ ଜମ୍ମୁଠାରେ ଥିବା ଶୀତଳ ଭଣ୍ଡାରରେ ରଖାଯାଇଛି। ପ୍ରାୟ ୩୦୦ କୋଟି ଟଙ୍କାର ଡ୍ରାଏ ଫ୍ରୁଟସ୍‌ ଶୀତଳ ଭଣ୍ଡାରରେ ରଖାଯାଇଛି। ପ୍ରତି ଦୋକାନୀ ୪ରୁ୬ ଟ୍ରକ୍‌ ପର୍ଯ୍ୟନ୍ତ ଡ୍ରାଏ ଫ୍ରୁଟସ୍‌ ଶୀତଳ ଭଣ୍ଡାରରେ ରଖିଥିବା କୁହାଯାଉଛି। ପ୍ରତିଟ୍ରକରେ ୫୦୦ ପେଟି ଡ୍ରାଏ ଫ୍ରୁଟସ୍‌ ରହିଥାଏ। ଗୋଟିଏ ଟ୍ରକ୍‌ରେ ଥିବା ଡ୍ରାଏ ଫ୍ରୁଟସ୍‌କୁ ଶୀତଳ ଭଣ୍ଡାରରେ ରଖିବା ପାଇଁ ୪୦ ହଜାର ଟଙ୍କା ଦେବାକୁ ପଡୁଥିବା କୁହାଯାଉଛି। ସେହିପରି ପରିବହନ ପାଇଁ ପ୍ରତି ଟ୍ରକ୍‌ ପିଛା ୫ ହଜାର ଟଙ୍କା ଭଡ଼ା ଲାଗୁଛି। ବୈଷ୍ଣୋଦେବୀ ଯାତ୍ରା ବନ୍ଦ ହେବାରୁ ଡ୍ରାଏ ଫ୍ରୁଟସ୍‌ ବ୍ୟବସାୟୀଙ୍କ କ୍ଷତି ବଢ଼ିବାରେ ଲାଗିଥିବା ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

Share