ବୈତରଣୀ ନଦୀ ପୋଲରୁ ବୋଲେରୋ ବୋଝେଇ ଶାଳ ଚୌକାଠ ଜବତ: ୨ ଗିରଫ

ପାଟଣା,୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ପୋଲ ନିକଟରୁ ଏକ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡିକୁ ସୋମବାର ଭୋରରୁ ପାଟଣା ବନ ବିଭାଗ ଜବତ କରିଛି। ଚୋରା କାଠ ବେପାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା କରଡ଼ିଆ ଗ୍ରାମର ବିଦ୍ୟାପତି ବାରିକ ଓ କୁଡୁମା ଗାଁର ଆଦିତ୍ୟ ଚରଣ ନାଏକ।
ପ୍ରକାଶ ଯେ, ପାଟଣା ରେଞ୍ଜ ଅଧୀନରେ କାଠ ମାଫିଆ ସକ୍ରିୟ ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ବୈତରଣୀ ନଦୀ ପୋଲ ନିକଟରେ ଛକି ରହିଥିଲେ। ବନବିଭାଗ କର୍ମଚାରୀଙ୍କୁ ଦେଖି ବିଦ୍ୟାପତି ଓ ଆଦିତ୍ୟ ବୈତରଣୀ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ବନ କର୍ମଚାରୀ ଉଭୟଙ୍କୁ କାବୁ କରିଥିଲେ। କାଠ ମାଫିଆଙ୍କୁ ଧରିବା ପାଇଁ ରେଞ୍ଜର ପବିତ୍ର ମୋହନ ନାଏକ, ବନପାଳ ସନ୍ତୋଷ ପୋହି ଓ ଗାର୍ଡ ତ୍ରିନାଥ ଜେନାଙ୍କ ସହ ପାରା ସ୍କ୍ବାର୍ଡ ସାମିଲ ହୋଇଥିଲେ। ତେବେ ଉକ୍ତ ଗାଡ଼ିରୁ ୩୪ଖଣ୍ଡ ଶାଳ ଚୌକାଠ ଜବତ ହୋଇଛି। ଜବତ ଚୌକାଠର ମୂଲ୍ୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ରେଞ୍ଜର ପବିତ୍ର ମୋହନ ନାଏକ କହିଛନ୍ତି।