Categories: ଜାତୀୟ

ବେତନ ବୃଦ୍ଧି କରି ନ ପାରନ୍ତି ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୨।୩: ମହାମାରୀ କରୋନା ସଂକ୍ରମଣ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ଭାରତର ଆଇଟି କମ୍ପାନୀଗୁଡ଼ିକ ଉପରେ ଏହାର ପ୍ରଭାବ ପଡିଛି। ତେଣୁ ଏହି କମ୍ପାନୀଗୁଡ଼ିକ ଚଳିତ ବର୍ଷ ବେତନ ବୃଦ୍ଧି ନ କରିପାରନ୍ତି ବୋଲି କୁହାଯାଉଛି। ସେହିପରି ବୋନସ୍‌ ମଧ୍ୟ ହ୍ରାସ ପାଇପାରେ ବୋଲି କୁହାଯାଉଛି। ବୋନସ, ବେତନ ବୃଦ୍ଧି ଓ ଅନ୍ୟାନ୍ୟ ଆର୍ଥିକ ପ୍ରୋତ୍ସାହନକୁ ସ୍ଥଗିତ ରଖାଯାଇଥିବା ଟେକ୍‌ ମହିନ୍ଦ୍ରା ସିଇଓ ସି.ପି. ଗୁଗ୍‌ନାନୀ କହିଛନ୍ତି। ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ଏହାର ଅଟକଳ ଶେଷ କରିଛି। ତେବେ ବେତନ ବୃଦ୍ଧି ଇତ୍ୟାଦି ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଏହି କମ୍ପାନୀ ଏବେ କ୍ଷତିର ସମ୍ମୁଖୀନ ହୋଇଛି। କାରଖାନାର ପ୍ରଦର୍ଶନ ଓ ଲାଭ ଉପରେ ବୋନସ ନିର୍ଭର କରିଥାଏ। ତେଣୁ ଏହା ହ୍ରାସ ପାଇବା ସ୍ବାଭାବିକ ବୋଲି ଏଭରେଷ୍ଟ ଗ୍ରୁପ୍‌ର ସିଇଓ ପିଟର ବେଣ୍ଡର ସାମୁଏଲ୍‌ କହିଛନ୍ତି। ଓ୍ବିପ୍ରୋ, ଏଚ୍‌ସିଏଲ୍‌ ଟେକ୍‌ ଏବଂ ଇନଫୋସିସ ଭଳି କମ୍ପାନୀ ବର୍ଷ ଶେଷ ଭାଗରେ ବର୍ଦ୍ଧିତ ବେତନ ପ୍ରଦାନ କରିବେ। କରୋନା ସାରା ବିଶ୍ୱର ବ୍ୟବସାୟକୁ ପ୍ରଭାବିତ କରିଥିବା ବିଶ୍ଳେଷକମାନେ କହିଛନ୍ତି। ବୃହତ୍‌ ଓ ମଧ୍ୟମ ପୁଞ୍ଜି ଟେକ୍‌ନୋଲୋଜି କମ୍ପାନୀଗୁଡ଼ିକର ଅଭିବୃଦ୍ଧି ୨ରୁ ୪ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଛି କୋଟାକ ଇନ୍‌ଷ୍ଟିଚ୍ୟୁଶନାଲ ଇକ୍ୟୁଟିଜ୍‌। ମୋଟାମୋଟି ଭାବେ ଏହି ଶିଳ୍ପର ଅଭିବୃଦ୍ଧି ୩ରୁ ୮ ପ୍ରତିଶତ ହ୍ରାସ ପାଇବ ବୋଲି କୁହାଯାଇଛି।

Share