ବେଘରଙ୍କ ପାଇଁ ଖୋଲା ଆକାଶ ତଳେ ଶୋଇ ସଚେତନତା ବାର୍ତ୍ତା ଦେଲେ ୬୦ ହଜାର ଲୋକ

ନ୍ୟୁୟର୍କ,୯।୧୨: ବେଘରଙ୍କ ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ୬୦ ହଜାର ଲୋକ। ସେମାନେ ଖୋଲା ଆକାଶ ତଳେ ଶୋଇ ଏଭଳି ଏକ ନିଆରା ଢ଼ଙ୍ଗରେ ବାର୍ତ୍ତା ଦେଇଛନ୍ତି। ନ୍ୟୁୟର୍କର ଟାଇମ୍ସ୍‌ ସ୍କୋୟାର, ଲଣ୍ଡନର ଟ୍ରାଫଲଗର ସ୍କୋୟାର, ଇଡେନବର୍ଗର ପ୍ରିନ୍ସ୍‌ ଷ୍ଟ୍ରିଟ୍‌ ଗାର୍ଡେନ ଆଦି ସ୍ଥାନରେ ରାତିରେ ହଜାର ହଜାର ଲୋକ ଖୋଲା ଆକାଶ ତଳେ ଶୋଇବାକୁ ପହଞ୍ଚିଥିଲେ। ବିଗ୍‌ ସ୍ଲିପ୍‌ ଆଉଟ୍‌ ଅଭିଯାନ ଅନ୍ତର୍ଗତ ଏଭଳି କରାଯାଇଥିବା କୁହାଯାଉଛି। ଏହି ଅଭିଯାନରେ ରାତିରେ ପୃଥିବୀର ୫୦ଟି ସହରରେ ଲୋକେ ଖୋଲା ଆକାଶ ତଳେ ଶୋଇଥିଲେ। ଏହା ସହିତ ୩୫୦ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଜାତିସଂଘ ଅନୁସାରେ ପୃଥିବୀର ବିଭିନ୍ନ ଦେଶରେ ୧୧୦ କୋଟି ଲୋକ ଖରାପ ସ୍ଥିତିରେ ବସବାସ କରୁଛନ୍ତି। ସେହିପରି ୧୦ କୋଟି ଲୋକ ପାଖରେ ନିଜର ଘର ନାହିଁ। ଯୁଦ୍ଧ ସ୍ଥିତି ଯୋଗୁ ୭କୋଟି ଲୋକ ବିସ୍ଥାପିତ ହୋଇଛନ୍ତି। ଲଣ୍ଡନରେ ରାତିରେ ବର୍ଷା ହେବା ସହିତ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ରହିଥିଲେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଖୋଲା ଆକାଶ ତଳେ ଶୋଇଥିଲେ।

Share