ବେଆଇନ ମୋରମ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ

ଭବାନୀପାଟଣା,୧୭।୧୧(ଡି.ଏନ୍‌.ଏ.): ଭବାନୀପାଟଣା ସଦର ବ୍ଲକ ବଳରାମପୁର ଶ୍ମଶାନରୁ ବେଆଇନ ମୋରମ ଖୋଳାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ଗ୍ରାମ ନିକଟ ପାହାଡ଼ ତଳେ ସରକାରୀ ଜାଗାକୁ ଗ୍ରାମବାସୀ ବହୁ ବର୍ଷରୁ ଶ୍ମଶାନ ପାଇଁ ବ୍ୟବହାର କରିଆସୁଛନ୍ତି  କିନ୍ତୁ ଏହି ଜାଗାରେ ଏବେ ପ୍ରତିଦିନ ବେଆଇନ ମୋରମ ଖୋଳାଯାଉଛି। ଗ୍ରାମବାସୀଙ୍କ ବାରମ୍ବାର ବିରୋଧ ସତ୍ତ୍ୱେ ସବୁବେଳେ ବିଭିନ୍ନ କାମ ପାଇଁ ଶ୍ମଶାନରୁ ମୋରମ ଚୋରା ଚାଲାଣ ହେଉଛି। ମୋରମ ଖୋଳା ଯୋଗୁ ଶ୍ମଶାନରେ ବଡ଼ବଡ଼ ଗାତ ହେଉଥିବାରୁ ଗ୍ରାମବାସୀ ମୃତଦେହ ଦାହ ସମୟରେ ବହୁ ଅସୁବିଧା ଭୋଗୁଛନ୍ତି। ଜଣେ ଠିକାଦାର ଏହି ଶ୍ମଶାନରେ ଏକ ଜେସିବି ସାହାଯ୍ୟରେ ମୋରମ୍‌ ଖୋଲିଥିଲେ। ଏହି ସମୟରେ ବଳରାମପୁର ଗ୍ରାମର ସୁଦର୍ଶନ ସା, ନାରାୟଣ ସା, ଶ୍ରୀନିବାସ ସା, ବୈଦ୍ୟନାଥ ସା, ରତ୍ନାକର ସା, ତ୍ରିନାଥ ସା, ଯଦୁମଣି ସା, ଦୋଳଗୋବିନ୍ଦ ସା, ଅଚ୍ୟୁତାନନ୍ଦ ସା ପ୍ରମୁଖ ଦେଖିଥିଲେ। ସମସ୍ତଙ୍କ ବିରୋଧ ଯୋଗୁ ଉକ୍ତ ଜେସିବି ସେଠାରୁ ଫେରି ଯାଇଥିଲା। ଆଗାମୀ ଦିନରେ ଶ୍ମଶାନରେ ବେଆଇନ ମୋରମ ଖୋଳା ବନ୍ଦ ନ କଲେ ଗ୍ରାମବାସୀ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।