ବେଆଇନ ବିଲ୍‌ ଆଦାୟ ବିରୋଧରେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୨୮।୫- ବାଲେଶ୍ୱର ଜିଲାର ବିଦ୍ୟୁତ୍‌ ସରବରାହ ପରିଚାଳନା ଦାୟିତ୍ୱରେ ଥିବା ନେସ୍କୋ ବିଦ୍ୟୁତ୍‌ ବିତରଣ ସଂସ୍ଥା ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍‌ ଶକ୍ତି ବ୍ୟବହାର ବାବଦରେ ଶୁଳ୍କ ବ୍ୟତୀତ ବିଭିନ୍ନ ଆଳରେ ଆଦାୟ କରି ଉପଭୋକ୍ତାମାନଙ୍କୁ ଦୀର୍ଘଦିନ ଧରି ଠକି ଆସିବାର ଅଭିଯୋଗ କରି ବୁଧବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ସିଭିଲ୍‌ ସୋସାଇଟି ତରଫରୁ ଲିଖିତ ଅଭିଯୋଗ କରାଯାଇଛି। ଆସନ୍ତା ୧୫ଦିନ ମଧ୍ୟରେ ଏହାର ସମାଧାନ କରା ନ ଗଲେ ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ ବୋଲି ଅଭିଯୋଗକାରୀମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍‌ ବିଲ୍‌, ଅଧିକ ମିଟର ଭଡ଼ା, ଅଘୋଷିତ ବିଜୁଳିକାଟ୍‌, ନିମ୍ନମାନର ବିଦ୍ୟୁତ୍‌ ଶକ୍ତି ଯୋଗାଣ ଓ ଦୀର୍ଘବର୍ଷ ଧରି ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍‌ ତାର, ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର ମରାମତି କିମ୍ବା ପରିବର୍ତ୍ତନ ନ କରିବା ଭଳି ଅଭିଯୋଗ କରାଯାଇଛି। ଏଥିସହିତ ପ୍ରତିମାସର ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ମିଟର ରିଡିଂ ନେଇ ସରଳ ଓଡ଼ିଆଭାଷାରେ ବିଲ୍‌ ପ୍ରଦାନ ଓ ବିଲ୍‌ ପଇଠ ପାଇଁ ସର୍ବନିମ୍ନ ୧୫ଦିନ ସମୟ ପ୍ରଦାନ କରିବା, ବିଦ୍ୟୁତ୍‌ ମିଟର କିଣିଥିବା ଗ୍ରାହକମାନଙ୍କଠାରୁ ଆଦାୟ କରାଯାଇଥିବା ମିଟର ରେଣ୍ଟ ଫେରସ୍ତ କରିବା, କରୋନା ଓ ଅମ୍ଫନ୍‌ ଭଳି ପ୍ରାକୃତିକ ବିପତ୍ତି ବେଳେ ଗତ ମାର୍ଚ୍ଚ, ଏପ୍ରିଲ୍‌ ଓ ମେ’ ମାସର ବିଦ୍ୟୁତ୍‌ ଶୁଳ୍କ ଘରୋଇ ଉପଭୋକ୍ତାମାନଙ୍କୁ ଛାଡ଼ କରିବା ଭଳି ଦାବି କରିଛନ୍ତି। ଜିଲାପାଳଙ୍କୁ ସାକ୍ଷାତ୍‌ କରି ଦାବିପତ୍ର ପ୍ରଦାନ ସମୟରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକଙ୍କ ସମେତ ଗୌରାଙ୍ଗ ପାଣିଗ୍ରାହୀ, ସାହିରୁଲ୍‌ ହକ୍‌, ଅଭୟ ଦାସ, ପରମାନନ୍ଦ ପଣ୍ଡା, ଜୟନ୍ତ ଦାସ, ବାସନ୍ତୀ ସାମଲ, ରତିକାନ୍ତ ପାତ୍ର, ନମିତା ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।