ବୁଗୁଡ଼ାରୁ ପୁରୀ ଗଲା ରଥ କାଠ

ବୁଗୁଡ଼ା, ୨୩।୪:(ଡି.ଏନ.ଏ.): ଆସନ୍ତା ରଥ ଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ବୁଗୁଡ଼ାରୁ ୧୨ ଖଣ୍ଡ ରଥ କାଠ ପୁରୀ ପଠାଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳର ପଙ୍କଳସାହିରେ ୨ଟି, ଆଦିପୁରରେ ୨ଟି ଓ ଖରିଡା ନିକଟରେ ୭ଟି ଫାସୀ ଗଛ ରଥ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ବେଳେ ୩ ଦିନ ତଳେ ଏହି ଗଛଗୁଡିକୁ ୧୪ ଫୁଟ ଲମ୍ବରେ ୧୨ ଖଣ୍ଡ କାଠ କଟାଯାଇ ମଝି ଦାଣ୍ଡରେ ରଖାଯିବା ପରେ ଗ୍ରାମବାସୀ ଏହାକୁ ଭକ୍ତିର ସହ ପୂଜାର୍ଚ୍ଚନା କରିଆସୁଥିଲେ। ଶନିବାର ପୁରୀ ଶ୍ରୀମନ୍ଦିର ଗାଡି ପହଞ୍ଚତ୍ବା ପୂର୍ବରୁ କାଠ ଗୁଡିକୁ ଗାଡ଼ିରେ ଲଦାଯାଇ ବୁଗୁଡ଼ା ଶ୍ରୀବଳଦେବ ସ୍ବାମୀ ମନ୍ଦିରକୁ ଅଣାଯାଇଥିଲା ଏବଂ ମନ୍ଦିର ସମ୍ମୁଖରେ ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ଗାଡି ପୁରୀ ଅଭିମୁଖେ ବାହାରିଥିଲା। ବୁଗୁଡ଼ା ପର୍ଶୁରାମ ବାହିନୀ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ବୁଗୁଡା ରେଞ୍ଜର ପ୍ରଦୀପ କୁମାର ମିଶ୍ର, ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ, ଅଧ୍ୟକ୍ଷା ପ୍ରତିନିଧି କେ ନୀଳ ମାଧବ ଆଚାରୀ, ଓ ବନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।