Categories: ଖେଳ

ବୀରେନ୍ଦ୍ରଙ୍କୁ ଭାରତୀୟ ଦଳର ଉପଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର, ୨୮।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସଠାରେ ଜୁନ ୬ରୁ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ଆରମ୍ଭ ହେବ। ଏହି ସମ୍ମାନଜନକ ହକି ଟୁର୍ନାମେଣ୍ଟ ଲାଗି ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ମନ୍‌ପ୍ରୀତ୍‌ ସିଂଙ୍କୁ ୧୮ ଜଣିଆ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବାବେଳେ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ତାଙ୍କ ଡେପୁଟି ଭାବେ ଦାୟିତ୍ୱ ଦିଆଯାଇଛି। ଅନ୍ୟତମ ଓଡ଼ିଆ ଖେଳାଳି ଭାବେ ଅମିତ୍‌ ରୋହିଦାସ ଏହି ଦଳରେ ସ୍ଥାନ ପାଇବା ସହ ଭାରତୀୟ ଦଳକୁ ଫେରିଛନ୍ତି। ଆଣ୍ଠୁଜନିତ ଆଘାତ ସମସ୍ୟା ଲାଗି ପଡ଼ିଆରୁ ଦୂରେଇ ରହିଥିବା ରମନଦୀପ୍‌ ସିଂ ଦୀର୍ଘ ୯ ମାସର ବ୍ୟବଧାନ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୁଷିଆ, ପୋଲାଣ୍ଡ ଓ ଉଜବେକିସ୍ତାନ ସହ ଭାରତ ପୁଲ୍‌-ଏ’ରେ ସ୍ଥାନ ପାଇଛି। ଜୁନ ୬ରେ ରୁଷିଆ ବିପକ୍ଷରୁ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ପୁଲ୍‌-ବି’ରେ ଜାପାନ, ମେକ୍ସିକୋ, ଆମେରିକା ଓ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛନ୍ତି।
ଭାରତୀୟ ଦଳ: ପି.ଆର୍‌. ଶ୍ରୀଜେଶ, ବି. କ୍ରିଷ୍ଣା ପାଠକ (ଉଭୟ ଗୋଲକିପର), ହରମନ୍‌ପ୍ରୀତ୍‌ ସିଂ, ବୀରେନ୍ଦ୍ର ଲାକ୍ରା (ଉପ-ଅଧିନାୟକ), ସୁରେନ୍ଦ୍ର କୁମାର, ବରୁଣ କୁମାର, ଅମିତ୍‌ ରୋହିଦାସ, ଗୁରିନ୍ଦର ସିଂ (ଡିଫେଣ୍ଡର୍ସ), ମନ୍‌ପ୍ରୀତ୍‌ ସିଂ (ଅଧିନାୟକ), ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ସୁମିତ୍‌, ନୀଳକାନ୍ତ ଶର୍ମା (ମିଡ୍‌ଫିଲ୍ଡର୍ସ), ମନ୍‌ଦୀପ୍‌ ସିଂ, ଆକାଶଦୀପ୍‌ ସିଂ, ରମନଦୀପ୍‌ ସିଂ, ଗୁରସାହିବଜିତ୍‌ ସିଂ, ସିମରନଜିତ୍‌ ସିଂ (ଫର୍‌ଓ୍ବାଡର୍‌ସ)।

Share