ବିଷ ପିଇ ଜୀବନ ହାରିଲେ ଚାଷୀ

ଟିଟିଲାଗଡ଼, ୧୧।୪ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ରିଗଡୁଲ ଗ୍ରାମର ଚାଷୀ ନେପାଲ ରଣା(୩୦) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ସେ ଫସଲରେ ଦିଆଯାଉଥିବା କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଶନିବାର ବ୍ୟବଚ୍ଛେଦ ପରେ ମୃତଦେହ ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିବା ବେଳେ ସ୍ତ୍ରୀ ଏବଂ ଦୁଇ ସନ୍ତାନ ଅଛନ୍ତି। ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।