ବିଷୟ ଚୟନରେ ତ୍ରୁଟି ନେଇ ଅସନ୍ତୋଷ: ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ଗୋପ, ୭।୧୧(ଡି.ଏନ୍‌.ଏ.)-ଗୋପ ବ୍ଲକ୍‌ ଅଧୀନ ସାରଡ଼ା ସ୍ଥିତ କୋଣାର୍କ ଜୁନିୟର ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଗୁରୁବାର କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ବିଷୟ ଚୟନରେ ତ୍ରୁଟି ଯୋଗୁ କଲେଜ ସମ୍ମୁଖରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଧାରଣା ଦେଇଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମାଧାନର ସୁତ୍ର ବାହାର କରିବା ଲାଗି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୋଦ କୁମାର ଦାଶ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ।
କୋଣାର୍କ ଜୁନିୟର ମହିଳା ମହାବିଦ୍ୟାଳୟରେ +୨ ଛାତ୍ରୀମାନେ ବିଷୟ ଚୟନ କରି ନିର୍ଦ୍ଧାରିତ ଦେୟ ଦେଇ ନାମ ଲେଖାଇଥିଲେ। ମାତ୍ର ଫର୍ମ ପୂରଣ ପୂର୍ବରୁ ଛାତ୍ରୀମାନେ ବିଷୟ ଚୟନରେ ଗୁରୁତର ତ୍ରୁଟି ହୋଇଥିବା ନେଇ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ ଛାତ୍ରୀମାନେ କଲେଜ ସମ୍ମୁଖରେ ନାରାବାଜି ଦେବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ। ଆସନ୍ତା ୯ ତାରିଖ ପରୀକ୍ଷା ପୂର୍ବରୁ ଛାତ୍ରୀମାନେ ଚୟନ କରିଥିବା ବିଷୟରେ ଯେପରି ପରୀକ୍ଷା ଦେବେ ସେ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରି ସମାଧାନର ସୂତ୍ର ବାହାର କରିବା ଲାଗି ଅଧ୍ୟକ୍ଷ ଦାଶ ପ୍ରତିଶ୍ରୁତି ଦେବା ପରେ ଧାରଣା ଶେଷ ହୋଇଥିଲା। ଏ ସମ୍ପର୍କରେ ଅଧ୍ୟକ୍ଷ ଦାଶଙ୍କୁ ପଚାରିବାରେ କମ୍ପ୍ୟୁଟରରେ ତ୍ରୁଟି ଯୋଗୁ ଏପରି ହୋଇଛି। ଏହି ସମସ୍ୟାର ସମାଧାନ ଲାଗି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି ବୋଲି କହିଥିଲେ।