ବିଶ୍ୱ ଟେଲିଭିଜନ ଦିବସ

ଜାତିସଂଘ: ୧୯୯୬ର ପ୍ରଥମାର୍ଦ୍ଧରେ ପ୍ରଥମେ ବିଶ୍ୱ ଟେଲିଭିଜନ ମଞ୍ଚ ଗଠନ କରାଯାଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ସେହି ବର୍ଷ ୨୧ ନଭେମ୍ବରରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯିବା ଲାଗି ଘୋଷଣା କରିଥିଲା। ଜାତିସଂଘ ଏହାର ସଦସ୍ୟ ରାଷ୍ଟଙ୍କୁ ଆମନ୍ତ୍ରଣ କରି ବିଶ୍ୱରେ ସବୁ ଦେଶ ମଧ୍ୟରେ ଟେଲିଭିଜନ କାର୍ଯ୍ୟକ୍ରମର ଆଦାନପ୍ରଦାନକୂୁ ପ୍ରୋତ୍ସାହିତ କରିବା ସହ ଏହା ମାଧ୍ୟମରେ କିପରି ବିଶ୍ୱରେ ଅର୍ଥନୀତି, ସୁରକ୍ଷା, ଶାନ୍ତି ,ସାମାଜିକ ବିକାଶ ଓ ସାଂସ୍କୃତିକ ପରିବର୍ତ୍ତନକୁ ଆଗକୁ ନେଇ ହେବ ତା’ ଉପରେ ଗୁରୁତ୍ୱ ଦେଇ ଏହି ଦିବସ ପାଳନ କରିଥିଲା। ସେବେଠାରୁ ଟେଲିଭିଜନ ଦିବସରେ ଏହିସବୁ ଲକ୍ଷ୍ୟପୂରଣ କରିବାରେ ଟେଲିଭିଜନ କେତେ ସକ୍ଷମ ହୋଇପାରିଛି ତା’ର ସମୀକ୍ଷା କରାଯାଉଛି। ଟେଲିଭିଜନ ଶିକ୍ଷାରେ ଉନ୍ନତି ଆଣିବା ସହ ସମାଜର ବିଭିନ୍ନ ସମସ୍ୟା ଓ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିପାରୁଛି। ଟେଲିଭିଜନ ଏକ ପ୍ରଭାବଶାଳୀ ମାଧ୍ୟମ ଯାହା ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ କରିବାରେ ମୁଖ୍ୟ ଭୂମିକା ନିଭାଉଛି। ସାଂସ୍କୃତିକ ବିଭେଦତାକୁ ହ୍ରାସ କରିପାରୁଛି। ବିଶ୍ୱରେ ଯେଉଁ ସମସ୍ୟା ଲୋକମାନଙ୍କୁ ବେଶି ପ୍ରଭାବିତ କରୁଛି ତାହାକୁ ଟେଲିଭିଜନ ଦ୍ୱାରା କିପରି ଦୂର କରାଯାଇପାରିବ ତାହା ଏହି ଦିବସର ଏକ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି। ସମାଜ ଉପରେ ପ୍ରଭାବ ପକାଉଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ନିରପେକ୍ଷ ମତ ବା ଖବର ପରିବେଷଣ କରି ସେଥିରେ ସୁଧାର ଆଣିବାରେ ଟେଲିଭିଜନ ମିଡିଆକୁ ସରକାର,ଅନୁଷ୍ଠାନ ତଥା ବ୍ୟକ୍ତିମାନେ ସମର୍ଥନ ଜଣାଇ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ପ୍ରିଣ୍ଟ୍‌, ଅନ୍‌ଲାଇନ, ବ୍ରଡ୍‌କାଷ୍ଟ ମିଡିଆରେ ଏହି ଦିବସ ସମ୍ପର୍କରେ ପ୍ରକାଶ ପାଏ। ରେଡିଓରେ ଏହି ଦିବସ ସମ୍ବନ୍ଧରେ ତଥ୍ୟ ପରିବେଷଣ କରାଯାଏ। ବ୍ଲଗର୍ସମାନେ ବି ଏହା ବିଷୟରେ ମତାମତ ଦେଇଥାନ୍ତି। ଶିକ୍ଷାନୁଷ୍ଠାନଗୁଡିକରେ ବି ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ବକ୍ତାମାନଙ୍କୁ ଆମନ୍ତ୍ରଣ କରାଯାଏ ଓ ଟେଲିଭିଜନ କିପରି ସାମାଜିକ ବିଭେଦତା ଏବଂ ବୁଝାମଣାରେ ବିକାଶ ଆଣି ପାରିଛି ତାହା ଉପରେ ଆଲୋଚନା କରାଯାଏ।

Share