ବିଶ୍ୱ ଏଡ୍‌ସ ଦିବସ ଆଜି: ଏବର୍ଷ ୮୦ ରୋଗୀ ଚିହ୍ନଟ, ୧୮ ମୃତ

ବାରିପଦା ଅଫିସ,୧।୧୨- ଏଡସ ନିରାକରଣ ଲାଗି ସଚେତନତା ଆଦି କାର୍ଯ୍ୟକ୍ରମ କରାଯାଉ ଥିଲେ ବି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ଏହି ଜିଲାରେ ୨୦୦୬ ରୁ ୨୦୧୯ ଅକ୍ଟୋବର ମଧ୍ୟରେ ୧୧୨୯ ଏଡସ ରୋଗୀ ଚିହ୍ନଟ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୯ ଜଣଙ୍କ ମୃତ୍ୟୁ ଘଟିଛି। ଜିଲା ସମନ୍ବିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ରରେ ଅଦ୍ୟାବଧି ୩ ଲକ୍ଷ ୩୬ ହଜାର ୯୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୦୧୯ରେ ଅକ୍ଟେବାର ସୁଦ୍ଧା ଜିଲାରେ ୮୦ ଜଣ ଏଡସ ରୋଗୀ ରକ୍ତ ନମୁନା ପରୀକ୍ଷା ପରେ ଚିହ୍ନଟ ହୋଇଥିବା ଏବଂ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଏହି କେନ୍ଦ୍ର ସୂତ୍ରରୁ ଜଣାପଡିଛି।
ଉଲ୍ଲେଖନୀୟ ଯେ, ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ ଦିବସ ଭାବେ ପାଳନ କରାଯିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ। ହେଲେ ଏସବୁ କାର୍ଯ୍ୟକ୍ରମ ସଭାସମିତି ମାଧ୍ୟମରେ ସୀମିତ ରହିଯାଉଥିବାରୁ ଏଡସ ରୋଗୀଙ୍କ ସଂଖ୍ୟା କମିବା ପରିବତ୍ତେ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଜିଲାରେ ରୋଗ ପରୀକ୍ଷା ଲାଗି ଏଯାଏ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇ ପାରି ନାହିଁ ା ଏହି ରୋଗ ଚିହ୍ନଟ ଲାଗି ୩ଟି ପ୍ରକ୍ରିୟାରେ ପରୀକ୍ଷାନିରୀକ୍ଷା କରାଯାଇଥାଏ। ପ୍ରଥମେ ଏଫ.ଆଇ.ସି.ଟି.ସି. ରେ ପରୀକ୍ଷା କରାଯାଏ। ଏଥିରେ ଏଚଆଇଭି ପଜିଟିଭ ଜଣାପଡିଲେ ଷ୍ଟାଣ୍ଡାଡ ଆଇ.ସି.ଟି.ସି. ଓ ପରେ ଆଇ.ସି.ଟି.ସି.ରେ ପରୀକ୍ଷା କରାଯାଏ। ଏହି ଜିଲାର ରୋଗୀଙ୍କୁ ପ୍ରତିଷେଧକ ବ୍ୟବସ୍ଥା ଏବଂ ଔଷଧ ପାଇଁ ଏବେ ବାଲେଶ୍ୱର ସ୍ଥିତ ଏଆରଟି ସେଣ୍ଟର(ଆଣ୍ଟି ରେଟ୍ରୋଭାଇରାଲ ଥେରାପି ସେଣ୍ଟର)କୁ ଯିବାକୁ ପଡୁଛି। ତେବେ ବାରିପଦାରେ ଏହି ସେଣ୍ଟର ନଥିବା ବେଳେ ଏଠାରେ ଏକ ଲିଙ୍କ୍‌ ଏଆରଟି ସେଣ୍ଟର କାର୍ଯ କରୁଛି। କୌଣସି ରୋଗୀ ବାଲେଶ୍ୱର ଯାଇ ନ ପାରିଲେ ଏଠାରୁ ଓଷଧ ନେଉଛନ୍ତିି। ଏଡସ୍‌ ରୋଗ ପରୀକ୍ଷା କରିବା ପାଇଁ ଜିଲାର ୨୩ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଫ.ଆଇ.ସି.ଟି.ସି ଥିବା ବେଳେ ୧୦ ଟି ଷ୍ଟାଣ୍ଡାଡ ଆଇ.ସି.ଟି.ସ. ଯଥା ବାରିପଦାରେ ୨ଟି ଏବଂ ବେତନଟି,ବଡସାହି,ଉଦଳା, ବିଶୋଇ, ରାଇରଂଗପୁର, ଯସିପୁର, କରଞ୍ଜିିଆ ଓ ଠାକୁରମୁଣ୍ଡାରେ ଗୋଟିଏ ଲେଖାଏଁ ରହିଛି। ଏଡାବାଦ ୨ ଟି ଆଇ.ସି.ଟି.ସି.(ସମନ୍ବିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ର ରହିଛି।