Categories: ବାଣିଜ୍ୟ

ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା କାରଣରୁ ବିଶ୍ୱକପ୍‌ର କେତେକ ମ୍ୟାଚ୍‌ ରଦ୍ଦ ହୋଇଥିଲେ ହେଁ ଭାରତୀୟଙ୍କ ମଧ୍ୟରେ ବିଶ୍ୱକପ୍‌ କ୍ରିକେଟ ପ୍ରତି ଆକର୍ଷଣ ବେଶ୍‌ ବଢ଼ିବାରେ ଲାଗିଛି। ବଡ଼ ସଂଖ୍ୟାରେ ଭାରତୀୟ ଦର୍ଶକ ଏବେ ହାଇଏଣ୍ଡ ଟିଭି ପ୍ରତି ଆକର୍ଷିତ ହେଉଛନ୍ତି। ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କମ୍ପାନୀ ସୋନୀ, ସାମସଙ୍ଗ,ଏଲ୍‌ଜି ଏବଂ ପାନାସୋନିକର ବଡ଼ ସ୍କ୍ରିନ୍‌(୫୫ ଇଞ୍ଚ ବା ତତୋଧିକ)ର ଟିଭି ସେଟ୍‌ ବିକ୍ରି ଗତବର୍ଷ ତୁଳନାରେ ୧୦୦ ପ୍ରତିଶତ ବଢ଼ିଥିବା ଦେଖାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ ବିକ୍ରି କେବଳ ମହାନଗର ଅଥବା ବଡ଼ ସହର ମଧ୍ୟରେ ସୀମିତ ହୋଇ ରହିନାହିଁ। ଛୋଟ ସହରରେ ମଧ୍ୟ ଏଭଳି ଟିଭିର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବିଶ୍ୱକପ୍‌ର ନକ୍‌ଆଉଟ ମୁକାବିଲା ଆରମ୍ଭ ହେବା ମାତ୍ରେ ବଡ଼ ସ୍କ୍ରିନ୍‌ ଟିଭି ଚାହିଦା ଆହୁରି ବଢ଼ିବ ବୋଲି କମ୍ପାନୀଗୁଡ଼ିକ ଆଶାବ୍ୟକ୍ତ କରିଛନ୍ତି। କ୍ରିକେଟପ୍ରେମୀଙ୍କୁ ଆକର୍ଷିତ କରିବା ଲାଗି ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ଆକର୍ଷଣୀୟ ଉପହାର ଘୋଷଣା କରୁଛନ୍ତି। ସୋନୀ ଇଣ୍ଡିଆ ବ୍ରାବିୟାର ବ୍ୟବସାୟିକ ମୁଖ୍ୟ ସଚିନ ରାୟ କହିଥିଲେ ଯେ, ବିଶ୍ୱକପ ମାତ୍ର ୧୦ ଦିନ ହେଲା ଆରମ୍ଭ ହୋଇଛି। ଏହାରି ଭିତରେ ୫୫ ଇଞ୍ଚ ଏବଂ ୪କେ ଟିଭି ସେଟ୍‌ର ଚାହିଦା ୧୦୦ ପ୍ରତିଶତ ବଢ଼ିଛି। ସାମସଙ୍ଗ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ମୁଖ୍ୟ ରାଜୀବ ଭୁଟାନୀଙ୍କ ମତରେ କ୍ୟୁଏଲ୍‌ଇଡି ଟିଭି ସହିତ ୫୫ ଇଞ୍ଚ ଓ ବଡ଼ ସ୍କ୍ରିନ୍‌ର ଟିଭି ଚାହିଦା ୫ଗୁଣା ବଢ଼ିଯାଇଛି। ସେହିପରି ପାନାସୋନିକ ଇଣ୍ଡିଆର ବ୍ୟବସାୟିକ ମୁଖ୍ୟ(ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ) ଶରତ ନାୟାର କହିନ୍ତନ୍ତି ଯେ, ପାର୍ବଣ ସିଜନ ପରେ ଖେଳ ସିଜନ କମ୍ପାନୀଙ୍କ ପାଇଁ ବଡ଼ ସୁଯୋଗ ଆଣିଦେଇଛି। ବିଶ୍ୱକପ କ୍ରିକେଟ କାରଣରୁ କମ୍ପାନୀର ବିକ୍ରି ୨୫% ବଢ଼ିବ ବୋଲି ଆଶାକରାଯାଉଛି। ଅନ୍ୟପକ୍ଷରେ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ମୁଖପାତ୍ର କହିଛନ୍ତି ଯେ, ଥିନକ୍ୟୁ ଏଆଇ ସହିତ ସ୍ମାର୍ଟ ଟିଭି ଜରିଆରେ କମ୍ପାନୀ ୩୫% ବିକ୍ରି ବୃଦ୍ଧି ଆଶାକରୁଛି। ବିକ୍ରି ବେଶ୍‌ ବଢ଼ିଛି।

Share