ବିଶ୍ୱକପ୍‌ ଆୟୋଜକଙ୍କୁ ଗାଭାସ୍କରଙ୍କ ସମାଲୋଚନା

ମାଞ୍ଚେଷ୍ଟର,୧୬ା୬: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ବିଶ୍ୱକପ୍‌ ଆୟୋଜକ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ସମାଲୋଚନା କରିଛନ୍ତି। ବର୍ଷା ପ୍ରଭାବିତ ଗ୍ରାଉଣ୍ଡକୁ ଶୀଘ୍ର ମ୍ୟାଚ୍‌ ଲାଗି ପ୍ରସ୍ତୁତ କରିବା ପାଇଁ ଏଠାରେ ବିଶେଷ ସୁବିଧା ନାହିଁ। ଏଥିନେଇ ଇସିବିର କାର୍ଯ୍ୟ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ଯଦି ଚଳିତ ବିଶ୍ୱକପ୍‌ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଭାରତ-ପାକିସ୍ତାନ ବର୍ଷା ଦ୍ୱାରା ବାଧାପ୍ରାପ୍ତ ହେଲେ ଆଇସିସି ଆୟୋଜକ ଇସିବିକୁ ଦଣ୍ଡିତ କରିବା ଉଚିତ ବୋଲି ଗାଭାସ୍କର କହିଛନ୍ତି। ବର୍ଷା ବାଧା ପ୍ରାପ୍ତ ମ୍ୟାଚ୍‌ ନେଇ ଇସିବି ଦାୟୀ। ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇସାରିଛି। ଏହାସତ୍ତ୍ୱେ ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ପର୍ଯ୍ୟାପ୍ତ କଭର୍ସ ନାହିଁ। ଏହା ଇସିବିର ଅବହେଳାକୁ ଦର୍ଶାଉଛି। ବିଶ୍ୱକପ୍‌ର କୌଣସି ମ୍ୟାଚ୍‌ରେ ବଲ ପଡ଼ୁ କି ସମ୍ପୂର୍ଣ୍ଣ ବାତିଲ ହେଲେ ମଧ୍ୟ ଇସିବିକୁ ଆଇସିସି ପ୍ରତ୍ୟେକ ମ୍ୟାଚ୍‌ ଆୟୋଜକ ଲାଗି ସାଢ଼େ ୭ ଲକ୍ଷ ଆମେରିକୀୟ ଡଲାର ଦିଏ। ଯଦି ବର୍ଷା ଯୋଗୁ ମାଞ୍ଚେଷ୍ଟରଠାରେ ଖେଳ ସମ୍ଭବ ନ ହେଲେ ଉକ୍ତ ଅର୍ଥରାଶି ଇସିବି ନ ଦେବାକୁ ଯୁକ୍ତି କରିଛନ୍ତି ଗାଭାସ୍କର। ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବାକୁ ଥିବା ଗ୍ରାଉଣ୍ଡକୁ ସମ୍ପୂର୍ଣ୍ଣ ଘୋଡ଼ାଇବା ଲାଗି ଷ୍ଟାଡିୟମରେ ପର୍ଯ୍ୟାପ୍ତ କଭର୍ସ ନ ଥିଲା। ପୂର୍ବରୁ ବର୍ଷା ହେବା ଲାଗି ପୂର୍ବାନୁମାନ ହୋଇଥିଲେ ମଧ୍ୟ ଇସିବି ଏଥିନେଇ ପ୍ରସ୍ତୁତ ହୋଇ ନ ଥିଲା। ଉଲ୍ଲେଖଥାଉ କି, କୋଲକାତା ଭଳି ଭାରତର ଯେଉଁ ଅଞ୍ଚଳରେ ପ୍ରାୟ ବର୍ଷା ହେଉଥିବା ଷ୍ଟାଡିୟମ୍‌ର ଗ୍ରାଉଣ୍ଡକୁ ସମ୍ପୂର୍ଣ୍ଣ କଭର କରାଯାଏ।

Share