Categories: ମେଟ୍ରୋ

ବିଳମ୍ବ ହେଉଛି ଓସା ନିର୍ବାଚନ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ସଚିବାଳୟ ସେବା ସଂଘ(ଓସା) ପକ୍ଷରୁ ପ୍ରତି ଦୁଇବର୍ଷରେ ଥରେ ନିର୍ବାଚନ ହୋଇଥାଏ। ୨୦୧୭ରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ କାର୍ଯ୍ୟକାଳ ଗତ ଜୁନ୍‌ରୁ ସମାପ୍ତ ହୋଇଛି। ଇତିମଧ୍ୟରେ ଦୁଇ ମାସ ବିତିଗଲାଣି, ହେଲେ ପରବର୍ତ୍ତୀ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଦରମା ବୃଦ୍ଧି, ଘରଭଡ଼ା ଭତ୍ତା, ମେଡିକାଲ ଭତ୍ତା, ସଚିବାଳୟ ପାଇଁ ସ୍ବତନ୍ତ୍ର କଲୋନୀ ବ୍ୟବସ୍ଥା, ଅଧିକାରୀଭିତ୍ତିକ ପ୍ରଶାସନ ପ୍ରଚଳନ ଏବଂ ବିଭାଗ-ନିର୍ଦ୍ଦେଶାଳୟ ସମ୍ମିଶ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ଓସା ହିଁ କର୍ମଚାରୀମାନଙ୍କ ଦାବିକୁ ଶୀର୍ଷ ପ୍ରଶାସନରେ ପହଞ୍ଚାଇବାର ମାଧ୍ୟମ। ତେଣୁ ପରବର୍ତ୍ତୀ ନିର୍ବାଚନ କେବେ, ତାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ଏପରି କି ଉଚ୍ଚ ପଦବୀରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। ଓସାର ବିଭିନ୍ନ କମିଟି କ୍ରିୟାଶୀଳ ହେବା ଦୂରର କଥା, ଗଠନ ମଧ୍ୟ ହୋଇନାହିଁ। ୨୦୧୫-୧୭ ମଧ୍ୟରେ ସଂଘର ପ୍ରାୟ ୩୨ ଲକ୍ଷ ଟଙ୍କାର ହିସାବ ଏବଂ ଭାଉଚର ନାହିଁ। ତେଣୁ ଓସାର ପୁରାତନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଫେରାଇ ଆଣିବା ପାଇଁ ନିର୍ବାଚନର ଆବଶ୍ୟକତା ଥିବା ଅନେକେ ମତ ରଖିଛନ୍ତି।