Categories: ମେଟ୍ରୋ

ବିଳମ୍ବରେ ଆସୁଥିବା ଡାକ୍ତରଙ୍କୁ ତାଗିଦ

ପୁରୁଣା ଭୁବନେଶ୍ୱର,୪।୧୦(ବ୍ୟୁରୋ) : ଗାନ୍ଧୀଜୟନ୍ତୀ ବୁଧବାରଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ହଠାତ୍‌ ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍‌ସି ହସ୍ପିଟାଲ ଗସ୍ତ କରି ବାସ୍ତବ ସ୍ଥିତି ଦେଖିଛନ୍ତି। ଡାକ୍ତରମାନେ ବିଳମ୍ବରେ ଆସୁଥିବା ଓ ଠିକ୍‌ ସେବା ମିଳୁ ନ ଥିବା ରୋଗୀଙ୍କଠାରୁ ଶୁଣିବା ପରେ ଚେତାବନୀ ଦେଇଛନ୍ତି। ଏପରି ଅଭ୍ୟାସ ପରିବର୍ତ୍ତନ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସେ କହିଲେ, ଆଗାମୀ ଦିନରେ ଏହି ହସ୍ପିଟାଲ ବିଏମ୍‌ସି ହାତରୁ ଯିବ। ଏଠାରେ ଡାକ୍ତର ଅଭାବ ସମସ୍ୟାକୁ ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବାହ୍ନ ୧୧ଟାରେ ମନ୍ତ୍ରୀ ଜେନା ହସ୍ପିଟାଲରେ ପହଞ୍ଚତ୍ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା କରି ସେବା ବିଷୟରେ ପଚାରି ବୁଝିଥିଲେ। କିଭଳି ଚିକିତ୍ସା ସେବା ମିଳୁଛି, ଡାକ୍ତର ଓ କର୍ମଚାରୀଙ୍କ ବ୍ୟବହାର କିପରି ରହୁଛି ଆଦି ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ସେ ହସ୍ପିଟାଲ ପରିସର ବୁଲି ପାରିପାର୍ଶ୍ୱିକ ସ୍ଥିତି ପରଖିଥିଲେ। ପୂର୍ବାହ୍ନ ୧୧ଟା ୪୫ ଯାଏ ବହୁ ଡାକ୍ତର ଆସି ନ ଥିଲେ। ମନ୍ତ୍ରୀଙ୍କ ଉପସ୍ଥିତ ଥିବା ସମୟରେ ମଧ୍ୟ ଜଣ ଜଣ କରି ଡାକ୍ତର ଆସୁଥିଲେ। ଏହା ଜାଣିବା ପରେ ମନ୍ତ୍ରୀ ଜେନା କ୍ଷୁବ୍ଧ ହୋଇଥିଲେ। ଡାକ୍ତର ଓ ହସ୍ପିଟାଲ ଅଧିକାରୀଙ୍କୁ ନେଇ ଆଲୋଚନା କରିଥିଲେ। ଚିକିତ୍ସା ଅବହେଳା, ବିଳମ୍ବରେ ଡାକ୍ତର ପହଞ୍ଚତ୍ବା ନେଇ ତାଗିଦ କରିବା ସହ ହସ୍ପିଟାଲକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।