ବିଲରେ ପଡି ଯୁବକଙ୍କ ପ୍ରାଣଗଲା, ଅଂଶୁଘାତ ସନ୍ଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୯।୫(ସ୍ବ.ପ୍ର/ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମର ନରୋତ୍ତମ ସାହୁ ନାମକ ଯୁବକ ଶନିବାର ମଧ୍ୟାହ୍ନ ସମୟରେ ବିଲରେ ପଡି ପ୍ରାଣ ହରାଇଛନ୍ତି। ସେ ଧାନ କାଟୁଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ। ଅନ୍ୟ ବିଲରେ କାର୍ଯ୍ୟ କରୁଥିବା କେତେଜଣ ଲୋକ ଦେଖି ତାଙ୍କୁ ଘରକୁ ନେଇ ଆସିଥିଲେ। ପରିବାର ଲୋକେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଇଡ୍‌କୋସ୍ଥ ସିଏଚ୍‌ସିରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏନେଇ ସିଂଲା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୧୪/୨୦) ରୁଜୁ କରିଛି। ସେ ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅକ୍ଷୟ କୁମାର ପାତ୍ର, କମଳାକାନ୍ତ ଦାସ, ଅମୂଲ୍ୟ ପଟ୍ଟାୟତ, ଜଗତ ଜୀବନ ଦାସ, ପ୍ରତାପ ନାୟକ ପ୍ରମୁଖ ଦାବି କରିଛନ୍ତି।