Categories: ଫୁରସତ

ବିମାନର କବର ସ୍ଥାନ

କବର ସ୍ଥାନ କହିଲେ ସାଧାରଣତଃ ବୁଝାଏ ଯେଉଁଠାରେ ମନୁଷ୍ୟମାନଙ୍କୁ କବର ଦିଆଯାଇଥାଏ। ହେଲେ ଆମେରିକାରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ହଜାର ହଜାର ସେନା ବିମାନକୁ ରଖାଯାଇଥିବାରୁ ସେହି ସ୍ଥାନକୁ ବିମାନର କବର ସ୍ଥାନ ବୋଲି କୁହାଯାଏ। ଉକ୍ତ ସ୍ଥାନରେ ପାଖାପାଖି ୪ ହଜାର ସେନା ବିମାନ ଯେଉଁ ଗୁଡିକ ଅଚଳ ହୋଇଯାଇଛି ସେସବୁକୁ ରଖାଯାଇଛି। ଏହା ଆମେରିକାର ଏରିଜୋନାରେ ଥିବା ଟକ୍ସନ ମରୁଭୂମୀରେ ରହିଥିବା କୁହାଯାଏ। ୧୪୦୦ ଫୁଟବଲ ପଡ଼ିଆ ଆକାରର ଅର୍ଥାତ୍‌ ୨୬୦୦ ଏକର ପରିମିତ ସ୍ଥାନରେ ଏସବୁ ବିମାନକୁ ରଖାଯାଇଛି। ଏହି ସ୍ଥାନ ‘ବୋନୟାର୍ଡ’ନାମରେ ପ୍ରସିଦ୍ଧ। ୨୦୧୦ରେ ଗୁଗୁଲ ଆର୍ଥ ଏହି ସ୍ଥାନରେ ଏକ ସ୍ପଷ୍ଟ ଚିତ୍ର ଜାରି କରିଥିବା କୁହାଯାଏ। ‘ବୋନୟାର୍ଡ’ରେ ଏବେକାର ସେନା ବିମାନଠାରୁ ଆରମ୍ଭ କରି ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ୟବହୃତ ହୋଇଥିବା ବିମାନକୁ ମଧ୍ୟ ରଖାଯାଇଛି।

ବୋମାବର୍ଷୀ ବିମାନ ବି-୫୨କୁ ମଧ୍ୟ ଏଠାରେ ରଖାଯାଇଛି। ୧୯୯୦ରେ ଆମେରିକା ଓ ସୋଭିଏତ୍‌ ସଙ୍ଘ ମଧ୍ୟରେ ହୋଇଥିବା ଏସ୍‌ଏଏଲ୍‌ଟି ନିରସ୍ତ୍ରୀକରଣ ବୁଝାମଣା ପରେ ଆମେରିକା ଏହାକୁ ସେବା ନିବୃତ କରିଥିଲା। ଏହାସହ ‘ବୋନୟାର୍ଡ’ରେ ଏଫ୍‌-୧୪ ବିମାନକୁ ମଧ୍ୟ ରଖାଯାଇଛି। ଏହି ବିମାନକୁ ହଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ‘ଟପ୍‌ ଗନ୍‌’ରେ ଦେଖାଯାଇଥିଲା। ଏହି ବିମାନକୁ ଆମେରିକା ନୌସେନା ୨୦୦୬ରେ ସେବା ନିବୃତ ଘୋଷଣା କରିଥିଲା।

ଆମେରିକାର ୩୦୯ତମ ଏରୋସ୍ପେଶ ମେଣ୍ଟେନାନ୍ସ ଆଣ୍ଡ ରିଜେନେରେଶନ ଗ୍ରୁପ ଏହାର ଦେଖାରଖା କରୁଥିବା ସୂଚନା ରହିଛି। ଏହାସହ ଏଠାକୁ ଆସୁଥିବା ବିମାନର ମରାମତି ମଧ୍ୟ କରୁଛି ଏହି ଗ୍ରୁପ୍‌। ଯାହାଫଳରେ କିଛି ବିମାନକୁ ଉଡିବା ଯୋଗ୍ୟ ମଧ୍ୟ କରାଯାଉଛି। ଯାହାକୁ କମ୍‌ ଦାମରେ ବିକ୍ରି କରାଯାଉଛି। ‘ବୋନୟାର୍ଡ’ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଠିକ୍‌ ପୂର୍ବରୁ ସ୍ଥାପନ କରାଯାଇଥିବା କୁହାଯାଏ। ଏହା ଏକ ଉଚ୍ଚସ୍ଥାନ ସହ ଶୁଖିଲା ସ୍ଥାନ ହୋଇଥିବାରୁ ଏଠାରେ ବିମାନ ଗୁଡିକ ଶୀଘ୍ର ନଷ୍ଟ ହେବନାହିଁ ଭାବି ବିମାନଗୁଡିକୁ ରଖିବାକୁ ଏହି ସ୍ଥାନକୁ ବଛାଯାଇଥିଲା।

Share