ବିଭିନ୍ନ ଦାବି ନେଇ ଗ୍ରାମବାସୀଙ୍କ ରେଳ ଅବରୋଧ : କମ୍ପାନୀ ଦାବି ପୂରଣ ନ କଲେ ଜାରି ରହିବ ଆନ୍ଦୋଳନ

ଭବାନୀପାଟଣା,୨୩।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ବେଦାନ୍ତ କାରଖାନା ପ୍ରତିଷ୍ଠା ହେବାର ଦୀର୍ଘବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହିଁ କମ୍ପାନୀ। ଅଞ୍ଚଳରେ ଅନେକ ଶିକ୍ଷିତ ବେକାର ଯୁବତୀ ଯୁବକ ଥିଲେ ମଧ୍ୟ କମ୍ପାନୀରେ ଚାକିରି ଖଣ୍ଡିଏ ନ ପାଇ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି। ଏଠାକାର କୌଣସି ଗାଁକୁ ଭଲ ରାସ୍ତାଟିଏ ମଧ୍ୟ ହୋଇନାହିଁ। ଏହିପରି ବିଭିନ୍ନ ସମସ୍ୟା ନେଇ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମବାସୀ ବୁଧବାର ବେଦାନ୍ତ ରେଳ ଧାରଣାରେ ବସି ଆନ୍ଦୋଳନ କରିଛନ୍ତି। ଯେଉଁଦିନ ପର୍ଯ୍ୟନ୍ତ କମ୍ପାନୀ ପ୍ରମୁଖ ଦାବିଗୁଡ଼ିକ ପୂରଣ ନ କରିଛି ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଧାରଣାସ୍ଥଳକୁ ଲାଞ୍ଜିଗଡ଼ ଆଇଆଇସି ସତ୍ୟ ନନ୍ଦ ଓ ଏସ୍‌ଡିପିଓ ଗୁପ୍ତେଶର ଭୋଇ ଆସି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।